ନିଶା ନିଆଁ
ନିଶା ନିଆଁ


ଚାହୁଁ ଚାହୁଁ ଚାଲିଗଲା ବାରମାସ,
ଗୋଟିଏ ନିଦାଘର ନିଷ୍କରୁଣ ପଞ୍ଝାରୁ
ଅଣନିଃଶ୍ବାସୀ ସମୟ
ମୁକୁଳି ପାରିନଥିବା ବେଳେ
ଆଉ ଗୋଟେ ନିଦାଘ ବି ଶେଷ,
ଚାହୁଁ ଚାହୁଁ ଚାଲିଗଲା ବାରମାସ l
ଗଲାସନ ହୁକୁମ ଭାଇର ଗୀତ,
ଚଉକାନ୍ଧେ କୋକେଇର ଚିତ୍ର
ଏବେବି ମାନସପପଟ୍ଟରେ ଚଳଚଞ୍ଚଳ,
ଆଖି ମୁଦିଦେଲେ ଧୂଆଁ ଧୂସରିତ
ଅନିରୁଦ୍ଧ ମୁହଁ ଅବିକଳ l
ମେଲି ଦେଇଥିବା ନାଆକୁ ତା' ବାହିବାକୁ
ମାନୀବୋଉ ପାଉନି ଠିକଣା,
ଏଇ ଏବେ ଏବେ ହିଁ ବଢିଛି ମାନୀ,
ମୁନା ମାଡ଼ିନି ସ୍କୁଲ ଅଗଣା l
ଆଜି ଅନିରୁଦ୍ଧର ଶିରାଧ,
ଶରଧାରେ ମାନୀବୋଉ ସଜାଡୁଛି ଭୁଜ୍ୟ,
ଅଲକ୍ଷ୍ୟରେ ନିଗିଡି ପଡୁଛି ହୃଦଭେଦି ଲହୁ
ନିରୀହ ପିଲାଯୋଡାଙ୍କ ମୁହଁ ଚାହିଁ
ଯାବତୀୟ ଝଡ଼ଝଞ୍ଜା କରୁଛି ସେ ସହ୍ୟ l
ହୋମ କୁଣ୍ଡର ଧୂମ କୁଣ୍ଡଳୀ ପରି
ଆଖି ସାମ୍ନାରେ ଭଉଁରି ଖେଳୁଅଛି
ଗେରସ୍ତ ମୁହଁରୁ ନିର୍ଗତ ତରଙ୍ଗାୟିତ
ଧୂମ ଆସ୍ତରଣ,
ନାଚି ଯାଉଛି ତୁହାକୁ ତୁହା
ସଂକୁଚିତ ଲାଜକୁଳୀ ଲତା ତଥା
ସଞ୍ଜର ଝାଉଁଳା ଫୁଲ ପରି
କ୍ରମଶଃ ଭାଙ୍ଗି ପଡୁଥିବା ତା' ଦେହ
ପୁଣି କାଳଗ୍ରାସୀ କର୍କଟରେ
ଅକାଳ ମରଣ l
ଏକ ବଦଭ୍ୟାସର ବଶରେ ସିଏ
ବରିନେଲା ସର୍ବନାଶ,
ଆଶରା ବିନା ଡଙ୍କେଇବାକୁ ଏବେ
ଡଙ୍କରାଜି ବିରସ ବିବଶ,
ନିରନ୍ତର ନିଶାର ନିଆଁରେ
ସ୍ୱାହା ଆଜି ତା' ସର୍ବସ୍ବ ll