ସ୍ଵୀକାରୋକ୍ତି
ସ୍ଵୀକାରୋକ୍ତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କିଛି ବି ତ ଫରକ୍ ପଡି ନ ଥିଲା
ସବୁକିଛି ସେମିତି ହିଁ ଚାଲିଥିଲା ।
ନା ସୂର୍ଯ୍ୟର କିରଣ ନା ଜହ୍ନର ଜୋସ୍ତ୍ନା
ନା ଗ୍ରୀଷ୍ମ ଅବା ଶୀତ ବର୍ଷାର ସମ୍ଭାବନା ।
ନା ଆଶା ନା ନିରାଶାର ସ୍ପର୍ଶ
ନା ପ୍ରାପ୍ତି ନା ଅପ୍ରାପ୍ତିର ନିଷ୍କର୍ଷ ।
ନା ସୁଖ ନା ଦୁଃଖର ଅନୁଭବ
ନା ସମ୍ପତ୍ତି ନା ବିପତ୍ତିର ପ୍ରଭାବ ।
ନା ତନ୍ଦ୍ରା ନା ଆଳସ୍ୟର ସମ୍ଭାର
ନା କ୍ଷୁଧା ନା ତୃଷ୍ନାର ଉପଚାର ।
ନା ରାତ୍ରୀ ନା ଦିବସ ଯାତ୍ରାର
ନା ପ୍ରେମ ନା ବିରହ ବେଦନାର ।
ନା ଜୀବନର ନା ମୃତ୍ୟୁ ତାଣ୍ଡବର
ନା ରୋଗ ନା ଶୋକ ଯନ୍ତ୍ରଣାର ।
ନା କେଉଁ ମିତ୍ର ଅବା କେଉଁ ଶତ୍ରୁର
ନା କେଉଁ ପର ନା କେଉଁ ଆପଣାର ।
ଫରକ୍ ପଡି ନ ଥିଲା କେଉଁ ସ୍ୱପ୍ନର
ନା କେଉଁ ଶୀତଳ ନା ଉତ୍ତପ୍ତ ବସ୍ତୁର ।
ଅବା କେଉଁ ନଦୀ ସାଗର ନା ଶିଳାର
କେଉଁ କ୍ରୋଧ ନା କାରୁଣ୍ୟ ମମତାର ।
ଫରକ୍ ଦେଖା ଯାଇ ନ ଥିଲା ଯେ କାହାର
ନା କେବେ ତୋର କେଉଁ ଜୀବନଚର୍ଯ୍ୟାର ।
ତେବେ କହ କାହା ପାଇଁ ମୋ ଯାତ୍ରା ରୁହନ୍ତା
ପାଦ ମୋ ଆଗକୁ ବଢୁ ବଢୁ ଫେରି ଆସନ୍ତା ।
ଏକ କ୍ଷଣ ଦୂରେଇ ଭାବିଲି କିଛି କାଳେ ଅଟକିଯିବ
କିଛି ହେଲେ ତ ମୋ ପାଇଁ କ୍ଷଣେ ମାତ୍ର ବଦଳିଯିବ ।
କିନ୍ତୁ ବିଚଳିତ ହେଲି ଅବିଚଳିତ ଧାରାକୁ ଦେଖି
ନିଜ ଶୂନ୍ୟ ସ୍ଥାନକୁ ପୂର୍ଣ୍ଣମାତ୍ରାରେ ପୂର୍ଣ୍ଣ ନିରେଖି ।
ଆଉ ଅତିରିକ୍ତ ହୋଇ ଭଲା ରୁହନ୍ତି କିପରି ।
ତେଣୁ ମୃତବତ୍ ସ୍ଥାଣୁ ହୋଇଗଲି ପ୍ରସ୍ତର ପରି ।