ପଠାଣି ସାମନ୍ତ
ପଠାଣି ସାମନ୍ତ


ଖଣ୍ଡପତ୍ତନର ବିଶାଳ ଦରୀର ସିଂହ ହେ ହରିଚନ୍ଦନ,
ଉତ୍କଳ ଭାସ୍କର ତୁମ୍ଭ ପୟରର ଧୁଳି ଆମ୍ଭର ଚନ୍ଦନ।
ହେ ଚନ୍ଦ୍ରଶେଖର ବଘେଲ ବଂଶର ରାଜକୁଳେ ହୋଇ ଜାତ,
ଜ୍ଞାନ ଦୀପ ଜାଳି ଅନ୍ଧାରୀ ମୁଲକ କଲ ତୁମ୍ଭେ ଆଲୋକିତ।
ଜ୍ୟୋତିଶ୍ଚକ୍ରୁ ତୁମ୍ଭେ ଖସି ଆସିଲକି ଉଜ୍ଜ୍ବଳ ତାରକାମଣି,
ସ୍ଥିର ହୋଇଗଲା ସମୟ ଦେଖିବାପାଇଁ ତୁମ୍ଭ ଆଗମନୀ।
ଅଠରଶ ପଞ୍ଚତ୍ରିଶ ମସିହାର ଦିନ ତେର ଡିସେମ୍ବର,
ଜନ୍ମିଥିଲ ଯୋଗଜନ୍ମା ତୁମ୍ଭେ ନେଇ କୃପା ପ୍ରଭୁ ଶିବଙ୍କର।
ଗ୍ରହ,ନକ୍ଷତ୍ରଙ୍କ ଗତି ଓ ସ୍ଥିତିର ନିର୍ଭୁଲ ଗଣନା ଦେଇ,
ସିଦ୍ଧାନ୍ତ ଦର୍ପଣ, ଦର୍ପଣ ସଦୃଶ ମହାଗ୍ରନ୍ଥ ଗଲା ହୋଇ।
ସେହି ଆଧାରରେ ନିର୍ଭୁଲ ଭାବରେ ହଜାର ହଜାର ବର୍ଷ,
ସଠିକ ପଞ୍ଜିକା ପ୍ରଣୀତ ହୋଇବ ହେ ଯୋଗଜନ୍ମା ପୁରୁଷ।
ଓଡିଆ ଜାତିର ମେରୁଦଣ୍ଡ ଜଗନ୍ନାଥ ମହାପ୍ରଭୁଙ୍କର,
ନିତି କାନ୍ତି ବଢେ ତୁମ୍ଭରି ନିର୍ଭୁଲ ଗଣନା କରି ଆଧାର।
ପ୍ରବଳ ପ୍ରତାପୀ ଦନ୍ତାବଳ ଗୋରା ସରକାରକୁ ଆହ୍ବାନ,
ଦେଇ କହିଥିଲ ଶକ୍ତି ଅଛି ଯେବେ କର ମୋ ଯୁକ୍ତି ଖଣ୍ଡନ।
ଆହେ ଦେବୋପମ
ତୁମ୍ଭ ସର୍ବୋତ୍ତମ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ,
ହେବନାହିଁ ଲୟ ଯୁଗେ ଯୁଗେ ବୋଲି କହିଗଲେ ରାଧାନାଥ।
ଦୃକ୍ ସିଦ୍ଧ ସିଦ୍ଧାନ୍ତ ତୁମ୍ଭରି ଆଧାର ଦେଖି ସର୍ବେ ଚମତ୍କୃତ,
ମାନଦଣ୍ଡ ଧରି ମାପି ପାରୁଥିଲ କେତେ ପାହାଡ ପର୍ବତ।
ରାତିରାତି ତୁମ୍ଭେ ଅନିଦ୍ରା ହୋଇଛ ଗ୍ରହ ନକ୍ଷତ୍ର ଗଣନେ,
ଦୁଇଟି କାଠିରେ ଗଣିପାରୁଥିଲ ଅସଂକ୍ଷ ତାରା ଗଗନେ।
ଦିନେ ଦେଖି ଦୂରବିକ୍ଷଣ ଯନ୍ତ୍ରକୁ ଯୋଗେଶ ରାୟଙ୍କ ହାତେ,
କହିଥିଲ"ଆହା ମିଳି ଥାଆନ୍ତାକି ଏହିପରି ଯନ୍ତ୍ର ମୋତେ'।
ଦୁର୍ଭାଗ୍ୟ ଆମ୍ଭର ଉତ୍କଳ ଜାତିର ହେ ଜ୍ଞାନ ଜ୍ବଳନ୍ତ ମଣି,
ବଣର ମାଳତୀ ହୋଇ ଫୁଟିଥିଲ ବନେ ଝରିବାକୁ ପୁଣି।
ରାଜରୋଷ ପୁଣି ବିଦ୍ରୁପ ତାସଂଗେ ରୁଗ୍ଣ କ୍ଷୀଣ କଳେବର,
ଲକ୍ଷୀଙ୍କର କୃପା ନଥିଲା ଯେହେତୁ ଥିଲା କୃପା ବାଣୀଙ୍କର।
ଜୀବନ ଦୀପିକା କ୍ଷୀଣହେବା ଜାଣି ମହୋଦଧିକୂଳେ ଯାଇ,
ମହାଯାତ୍ରା ଲଭିଥିଲ ମହାପ୍ରଭୁ ନୀଳଚକ୍ର ଚାହିଁ ଚାହିଁ।
ଉଣେଇଶ ଚାରି ମସିହାରେ ହେଲା ସେହି ଦୀପ ନିର୍ବାପନ,
ଅନ୍ଧକାରେ ପୂର୍ଣ କରି ଦେଇଗଲା ସାରା ଦେଶର ଅଙ୍ଗନ।