STORYMIRROR

Kulamani Sarangi

Classics

4  

Kulamani Sarangi

Classics

ରଥେତୁ ବାମନଂ ଦୃଷ୍ଟ୍ବା

ରଥେତୁ ବାମନଂ ଦୃଷ୍ଟ୍ବା

1 min
27


ମଣ୍ଡୁକ ମାତ୍ର ମୁହିଁ, ଅହି କବଳେ ରହି

ନିରସ୍ତ ଆହେ ଚକ୍ରଧାରୀ

କାମନା,କ୍ରୋଧ,ଲୋଭ ମୋହ ଚେତନା ସର୍ବ

ବିଷରେ ବିଶେଷେ ମୁଁ ଘାରି 

ହେ ବିଶ୍ବାଧାର

ପଡିଛି ପଙ୍କିଳ କେଦାରେ, ନାହାଁନ୍ତି କେହି ନିକଟରେ

ଅସହାୟରେ ଭୁଜ ତୋଳିଛି ଦେବରାଜ

ବଢାଇ ଦିଅ ଆଶ୍ରା ବାରେ, ହେ ମହାପ୍ରଭୁ।


ବିଷାକ୍ତ ଦେହ ମନ, ଆତ୍ମା କରି ବହନ 

ମରୁଛି ଦୀନ ଦିନ ରାତି,

କରୁଣା ବିନା ତୋର ମୁକତି ନାହିଁ ମୋର

ଅଭୟ ବରଦା ମୂରତି 

ହେ ମହାପ୍ରଭୁ,

ସିନ୍ଧୁ ରାଜ ଦୁଲ୍ଲଣୀ ଭର୍ତ୍ତା, ସତ୍ୟ ଶାନ୍ତିର ଦିବ୍ୟ ବେତ୍ତା

ଶୀତଳ କର ମନ, ମୋର ବିଶ୍ବ ମୋହନ,

ଆତ୍ମା ମୋ ଲଭୁ ପରମାତ୍ମା, ହେ ମହାପ୍ରଭୁ।


ବିକର୍ମ କୁକର୍ମର, ବିଶାଳ ବୃକ୍ଷ ଚେର

ପ୍ରାଣକୁ କରିଛି କବଳ

ବୈରାଗ୍ୟ ଖଡଗ ତଳୁ, ତୋଳିବା ପାଇଁ ଖଳୁ

ହେଲାଣି ପ୍ରୟାସ ସକଳ

 ହେ ଅଣାକାର

ଦିଅ ଶକତି ଅଣାକର,

ହେଳେ ବନ୍ଧନ ହେଉ ଦୂର,

ମାୟା ସଂସାର ଛାଡି, ଏ ପ୍ରାଣ ପକ୍ଷୀ ଉଡି,

ସତ୍ତାରେ ଲୀନ ହେଉ ତୋର, ହେ ମହାପ୍ରଭୁ।


ହୋଇ ପ୍ରକୃତି ବଶ, ପଞ୍ଚ ଇନ୍ଦ୍ରିୟ ଦାସ 

ଭ୍ରମିଲି ଅମଡ଼ା ଜାଙ୍ଗଳ 

ଭଲ ଭେଲ ପରଖି, ନପାରି ଚକା ଆଖି

ଭକ୍ଷିଲି ବିଷ ବୃକ୍ଷ ଫଳ

ହେ ପ୍ରଭବକ,

ମୀନକୁ ଯେହ୍ନେ ଚାହେଁ ବକ

ତେମନ୍ତେ ଚିତ୍ତ ମୋର ରଖ

ତୁମ୍ଭ ଦିବ୍ୟ ଭାବରେ,ତରିଯିବି ଭବରେ

ମାଗୁଣି ମୋର ପଦ୍ମମୁଖ, ହେ ମହାପ୍ରଭୁ।


ରୂପରେଖ ତୋ ନାହିଁ,କେ କହେ ଶୂନ୍ୟଦେହୀ

କେ କହେ ତୁହି ଅଣାକାର,

ପ୍ରକୃତି ବୋଲି ତୋତେ, ଜାଣିଛି ଏ ଜଗତେ

ତୋଠାରୁ ପ୍ରଭବ ମୋହର

ହେ ମହାଜ୍ୟୋତି,

କ୍ଷୁଦ୍ରାତି କ୍ଷୁଦ୍ର ମୁଁ ପ୍ରକୃତି,

ଦିଅ ଏତିକି ଜ୍ଞାନ, ମୋତେ ବ୍ରହ୍ମଚେତନ,

ମହା ଜ୍ୟୋତିରେ ମିଶୁ ଜ୍ୟୋତି ହେ ମହାପ୍ରଭୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics