STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ପରିବର୍ତ୍ତନର ରଙ୍ଗ

ପରିବର୍ତ୍ତନର ରଙ୍ଗ

1 min
28

==============

ବହୁବର୍ଷ ପରେ ଯାଇଥିଲି ଗାଁ ବୁଲି,

ଦେଖିଲି ଉଜୁଢା ନନ୍ଦନ କାନନ 

ତାତିଲା ସାହାରା ବାଲି।


ନାହିଁ ଚାଳଘର, ଘର ଚଟିଆର 

ଚିଁ ଚିଁ ମଧୁ ସ୍ବର,

ଆମ୍ର ବାଟିକାରେ ଶୁଭୁନାହିଁ କିଆଁ 

ସଙ୍ଗୀତ କୋଇଲିର !


ଜାନୁ ଘଣ୍ଟିଆର ଘଣ୍ଟି ଶୁଭୁନାହିଁ 

ଶୁଭୁନି କେନ୍ଦେରା ସ୍ବନ,

ଭଜୁକିନା ରାମ ନାମରେ ଗୋବିନ୍ଦ 

ଭଜୁକିନା କୃଷ୍ଣ ନାମ।


କିଏ ଚୋରାଇଲା 

ବସନ୍ତ ବନାନୀ ମୋର !

ଶୁଖି ଯାଇଅଛି ଆମ୍ବ ବଉଳ,

ଶୁଭେନା କୋଇଲି ସ୍ୱର।


ମଳୟ ଲୁଚିଛି ନିଦାଘ ଡରରେ

ବଗିଚା ମୋ ରଙ୍ଗଛଡା,

ତୃଷାର୍ତ୍ତ ଆଜି ମୋ ରକ୍ତଗୋଲାପ,

ସୁଗନ୍ଧରାଜ ପାଖୁଡା।


ଯେଉଁମାନେ ଏଠି ଥିଲେ ମାଳି

ଆଜି ସହରରେ ସୌଦାଗର ,

ତା ଭିତରୁ ଜଣେ ମୁଁ ବୋଲି 

ମୋର କହିବାକୁ ନାହିଁ ଡର।


କିଏ ଦେଲା ସତେ ବାସନ୍ତୀ ସ୍ୱପ୍ନର

ଅବେଳେ ହଜାଇ ତନ୍ଦ୍ରା !

କିଏ ଭାଙ୍ଗିଦେଲା ଅର୍ଦ୍ଧପ୍ରସ୍ଫୁଟିତ

କଳିକାର ଗାଢ ନିଦ୍ରା!


କିଏ ଫିଙ୍ଗିଦେଲା ତାଳଗଛ କାଟି 

ବାଇଆ ଚଢ଼େଇ ବସା,

ବିଷ ଦେଇ କିଏ ନାଶ କରିଦେଲା 

ମାଟିଆ ଚିଲିର 

ଆକାଶେ ଉଡିବା ଆଶା !


କିଏ ବିନ୍'ଛି ଦେଲା ଧାନ କିଆରୀରେ 

ମୁଠା ମୁଠା କରି ବିଷ,

କଙ୍କଡା,ଝିମାଣି,କରାଣ୍ଡି ଶେଉଳ 

ବଂଶ କରିଦେଲା ନାଶ !


ବରଗଛ ଛାଡ଼ି ଚେମେଣୀ ବାଦୁଡ଼ି 

କେଉଁ ଦେଶେ ଚାଲି ଗଲେ ?

ମନ୍ଦିର ବେଢ଼ାରେ ନିଝୁମ ରାତିରେ 

କିଏ ପଦ୍ମତୋଳା ବୋଲେ !


ଧୂପ ଧୂଆଁ ନାହିଁ ଗଞ୍ଜେଇ ଧୂଆଁରେ

କେ ଘୋଡାଏ ସଞ୍ଜ ଜହ୍ନ,

ଓଢଣୀ ଖସାଇ କିଆଁ ପୁରନାରୀ 

ନାଚଇ ହୋଇ ଉଚ୍ଛନ୍ନ !


ଏଠାରେ.....

ଅମାବାସ୍ୟାର ଅମା ଅନ୍ଧକାରେ

ଖୋଜୁଛ କି ରୂପାଜହ୍ନ !!

ଶୁଭୁଥିଲା ଯହିଁ ସୃଷ୍ଟିର ସଂଗୀତ,

ଶୁଭୁଛି ଆର୍ତ୍ତ କ୍ରନ୍ଦନ ।


ବିଶ୍ୱାସର ଏକ ପିଆଲାରେ କିଏ

ମିଶାଇ ଦେଲା ଜହର !

ମଲାଜହ୍ନ ପରି ଲକ୍ଷ୍ୟପଥ ଆଜି

ରହିଛି ଯୋଜନ ଦୂର।


କା ଆଖି ସ୍ବପ୍ନ ପ୍ରତାରଣା ଲୁହ

ଧାରେ ଯାଉଅଛି ବହି,

ନୀରନ୍ଧ୍ର ଅନ୍ଧାର ପିଇଯାଉଛି ଏ

ପାହାଡୀ ଶୁଖିଲା ନଈ !!


ଥିଲା ଯେଉଁଠାରେ ଧାନର କିଆରୀ 

ଖେଳାଇ ସୁନା ଲହଡି,

ବନ୍ଧ୍ୟା ହୋଇ ସେ ପଡିଛି 

କଣ୍ଟାର ବନ ଯାଇଅଛି ମାଡି।


ନଈ ପଠାରେ ବସିଛି ମୁଁ ଏକା

ସମସ୍ତେ ଗଲେଣି ଚାଲି,

ଜୀବନର ପାତ୍ର ଭରିବାକୁ ଅଛି

ଦି'ମୁଠା ଶୁଖିଲା ବାଲି।

--------------------------------------------------------------------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational