ଫିକା ଫିକା ରଜ
ଫିକା ଫିକା ରଜ


ବନସ୍ତେ ଆଉ ଗଜ ଡାକୁନାହିଁ
ଫିକା ପଡ଼ିଲାଣି ରଜ
ଗାଁ ଗଣ୍ଡା ଏବେ ସହର ଲାଗୁଛି
ବାସୁନାହିଁ ରଜ ସଜ ||
ଦୋଳିଟା ମୋର ଝୁଲୁ ନାହିଁ ଜମା
କଟମଟ ଶବ୍ଦ କରି
ପାନ ମସଲାରେ ପାଟି ଵାସୁନାହିଁ
ସୁଆଦ ଯାଇଛି ମରି ||
ବିଦେଶ ଫେରନ୍ତା ବାପା ପାଶେ ନାହିଁ
ଧନର ଗଣ୍ଠିଲି ପେଡି
ଝିଅ ଟା ତାହାର ଫୁଲେଇ ହେଉନି
ଶୋଇଛି ସେ ମନ ମାଡି ||
କରୋନା ଭୟରେ ଶୂନଶାନ ଲାଗେ
ସହର ବଜାର ଘାଟ
କାମ ଚଳା ରଜ ପାଳିବେ ଏଥର
ହେବ ନାହିଁ କିଛି ନାଟ ||
କରୋନା କୁ ଜୟ କରିବା ଆମେ
ସନ୍ଦେହ ମନରେ ନାହିଁ
ଆର ବରଷକୁ ପାଳିବା ରେ ରଜ
ମନ ଉଣା କରନାହିଁ ||
ବସୁମତୀ ମାତା ଶାନ୍ତି ହୋଇଲେ
ଘୁଞ୍ଚି ଯିବ ସବୁ ଦୁଃଖ
ପ୍ରକୃତି ସାଥିରେ ଖେଳି ବାନି ଖେଳ
ଏହି କଥା ମନେ ରଖ ||