ଲବଣୀ ଚୋରିଆ
ଲବଣୀ ଚୋରିଆ
ଦହି ଖିଆ ମୋର ଲବଣୀ ଚୋରିଆ
କଳାକାହ୍ନୁ କଳା ହୀରା
ତୋତେ ଯିଏ ଡ଼ାକେ ଆକୁଳ ଅଧିରେ
ତାର ହୋଇଯାଉ ପରା ।
ଚକା ଚକା ଆଖି ନିରେକ୍ଷି ଚାହିଁଛୁ
ଜଗତ ଉଦ୍ଧାର କରୁ
ଭାଇ ଭଉଣୀଙ୍କୁ ସାଥିରେ ନେଇକି
ବାହାରେ ବିହାର କରୁ ।
ଦୁଖିଙ୍କର ଦୁଃଖ ମୋଚନ ପାଇଁ ତ
ହୋଇଅଛୁ ତୁହି ଉଭା
ମୋ ପାଳି ପଡ଼ିଲେ ମୁହଁ ତୁ ମୋଡୁଛୁ
ପାଏ ନାହିଁ ତୋତେ ଶୋଭା ।
ମୁଁ କଣ ମାଗୁଛି ଧନ ଦଉଲତ
ଅବା ଆକାଶର ଜହ୍ନ
ତୋ ଚରଣେ ଶରଣ ଦେଏରେ କାଳିଆ
ବୁଝୁ ନାହୁଁ ମୋର ମନ ।
ଦାସୀଆ ଡ଼ାକିଲା ଗଲୁ ତା ପାଖକୁ
ହାତରୁ ନଡ଼ିଆ ନେଲୁ
ଭକ୍ତ ସାଲବେଗ ଭକତେ ଭ୍ରମିଲୁ
ତାକୁ ତୁ କୋଳେଇ ନେଲୁ ।
ବିକଳେ ଡାକିଲେ ବଳରାମ ଦାସ
ବାଲି ରାଥେ ଉଭା ହେଲୁ
ବିଦୁରଙ୍କ ଘରେ ନିଜେ ଯାଇ ପରା
ଶାଗ ଭଜା ଖାଇଥିଲୁ l
ଭକତ ରସିଆ ଭାବ ବିନୋଦିଆ
କେତେ ତୁ ପରୀକ୍ଷା ନେବୁ
ଜାଣିଛି ମୁଁ ତୋତେ ଜୀବ ଯିବାବେଳେ
ମୋତେ ତୁ କୋଳେଇ ନେବୁ l
