ଦୁଃଖୀ ମଣିଷର ମହତ କେତେ
ଦୁଃଖୀ ମଣିଷର ମହତ କେତେ
କରି କରାଉଛ ତୁମେ ହିଁ କେବଳ
ଯାହା ହେଉଅଛି ଏହି ଜଗତେ
ତୁମେ ତ ଜାଣିଛ ଆହେ ଲୀଳାମୟ
ଦୁଃଖୀ ମଣିଷର ମହତ କେତେ ।
କିଏ ବା ପଚାରେ ତାକୁ ଏଠାବରେ
ଦୁଃଖରେ ଅଛି କି ସୁଖରେ ଅଛି
ଶୋଷଣ, କଷଣ, ମିଥ୍ୟା ଅତ୍ୟାଚାର
ସହି ସହି ସିଏ ଥକି ପଡୁଛି ।
ଗଣ୍ଡେ ଖାଇ ଦଣ୍ଡେ ଜୀଇଁବା ପାଇଁକି
ଥିବାରୁ ଅଭାବ ସମ୍ବଳ ପାଖେ
ସାହସ ଜୁଟାଇ ନ ପାରଇ ସିଏ
ଦାଣ୍ଡେ ବୋଲିବାକୁ ପଦିଏ ମୁଖେ ।
ନଥିବାରୁ ଧନ ଯଶକୀର୍ତ୍ତିମାନ
କରି ହାତଛଡା ବିଳପେ ନିତି
ତା' ପାଇଁ ସଂସାର ଯାତନାର ଦ୍ବାର
ଠେଲି ଠିଆ କରେ କାଳର ଗତି ।
ତୁମେ ଦୟାମୟ କରୁଣାସାଗର
ଯେବେ କୃପାଦୃଷ୍ଟି ଫେରାଇ ନେବ
ରଖିବ କାହଠି ବିଶ୍ବାସ ଭରସା
ଆଶା ବାଲିବନ୍ଧ ପାଲଟି ଯିବ ।
ହୃଦୟ କାତର ଆକୁଳେ ଅଧୀର
ତଥାପି ତୁମକୁ କରି ସ୍ମରଣ
ସକାଳ ସଞ୍ଜରେ ରାତିର ଶେଯରେ
ଡାକୁଥିବ ରଖ ହେ ଭଗବାନ ।