ସଚ୍ଚରିତ ମନା
ସଚ୍ଚରିତ ମନା
ରବି ଆଗମନେ ତିମିର ଲୁଚଇ
ପୁଣ୍ୟ ବଳେ ପାପ ପରି
ମଦାନ୍ଧେ ଦୁର୍ଦମ ହେଳେ ପାସୋରଇ
କାଳ ହସ୍ତେ ଭାଗ୍ୟ ଡୋରୀ
ଅହି କବଳେ ମଣ୍ଡୁକ
ବରଷା ଧାରାରେ ପାଣି ବୁଦୁ ବୁଦୁ
କ୍ଷଣେ ଯେହ୍ନେ ଆତ୍ମ ସୁଖ ।।
ଅପଣ୍ଡିତ ପୁତ୍ର ଅବିଶ୍ବାସୀ ମିତ୍ର
ଦାରା ଯେବେ ହୁଏ ଅରି
ଅଦିନିଆ ଝଡ ମରୁ ମରିଚିକା
ପରଦେଶ ପାଣି ପରି
ଅମୃତ ଭାଣ୍ଡେ ଯେ ବିଷ
ଏ ଜୀବନ କ୍ରିୟା ନିଶେଷ କରନ୍ତି
ଅବଶେଷେ ଅବସୋସ ।।
ଶିଶିରେ ଶିରୀଷ ପଉଷେ ପଦୁଅଁ
ଗ୍ରୀଷମେ ଯେହ୍ନେ ପ୍ରକୃତି
ଅନ୍ତରରେ ଥାଇ ବିବର୍ଣ୍ଣ କରଇ
ତେସନେଦେହଜ ବ୍ୟାଧି
କ୍ଷଣେ କରେ ଅନ୍ଧକାର
ଅସାର ସଂସାରୁ ସାର ଲଭିବାକୁ
ଆନମନା ହୁଏ ନର ।।
କଳାମେଘ କୋଳେ ଚପଳା ଝଲସି
ମନ ହରଷିଲା ପରି
ସୁକର୍ମକୁ ତେଜି କୁକର୍ମରେ ଧ୍ଯାନ
କ୍ଷଣ ସୁଖେ ତୃପ୍ତି ଭରି
ଫୁତ୍କାରେ ନର-ପୁଙ୍ଗବ
ଜନମ ମରଣ ଧ୍ରୁବ ସତ୍ୟ ଜାଣି
ବୈଭବେ ସଂହତି ଭାବ ।।
ନାଗ ମସ୍ତକରେ ମଣି ଥାଏ ସିନା
ଦୁର୍ଲଭ୍ଯ ତାହା ଯେସନ
ଦୁର୍ଜନ ସଙ୍ଗତି ନର୍କେ ବାସ ଜାଣି
ତେଜନ୍ତି ସାଧୁ ବହନ
ଦୂଷିତ ନ କଲେ ମନ
ଭୂ-ଗର୍ଭରୁ ସ୍ବଛ ଜଳ ମିଳିଥାଇ
ହେଳା କଲେ ଉତ୍ ଖନନ ।।