ମୁଁ ଶ୍ରମିକ
ମୁଁ ଶ୍ରମିକ
ଶ୍ରମିକଟିଏ ମୁଁ ଶ୍ରମିକଟିଏ
ମାଟି କାଦୁଅରେ ଖଟୁ ଯେ ଥାଏ
ଗାମୁଛା ଖଣ୍ଡିଏ ଅଣ୍ଟାରେ ବାନ୍ଧି ମୁଁ
ମାଟିରେ ଫସଲ ଯେ ଉପୁଜାଏ ।
ପଖାଳ ସାଙ୍ଗକୁ ଶାଗ ଭଜା ପୁଣି
କେବେ ଜୁଟେ କେବେ ଜୁଟେ ଯେ ନାହିଁ
ସୁଆଦିଆ ଖାଦ୍ୟ ଖାଉଥିବା ବେଳେ
ମୋ କଥା କି କେବେ ମନେ ପଡ଼ଇ ?
ଶ୍ରମିକଟିଏ ମୁଁ ଶ୍ରମିକଟିଏ
ସୌଧ ଅଟ୍ଟାଳିକା ଗଢି ମୁଁ ଥାଏ
କୋଠା ଘରେ ତୁମ ବିଜୁଳି ସଂଯୋଗ
ମୁଁ ପରା ଆନନ୍ଦେ କରି ଯେ ଥାଏ ।
ମୋ ହାତରେ ଗଢ଼ା ତୁମରି ପ୍ରାସାଦେ
କେବେ ଯଦି ମୁଁ ଯେ ପାଦ ପକାଏ
ନ ଚିହ୍ନିଲା ଭଳି ଘୃଣା କରି ଚାହଁ
ସେ କଥାକୁ ମୁଁ ଯେ ସ୍ଵୀକାର କରେ।
ମୋ ହାତରେ ଗଢ଼ା ପ୍ରାସାଦ ସଜାଅ
କେତେ ରକମର ସରଞ୍ଜାମରେ
ମୋ ଘର ଛପରେ ଜହ୍ନ ଦେଖାଯାଏ
ତୁମ ପାଖେ କିବା ଖବର ଥାଏ ?
ତୁମ ଘରେ ମୁଁ ଯେ ଆଲୋକ ସଜାଏ
ମୋ ଘରେ ଅନ୍ଧାର ପହଁରୁ ଥାଏ
ତୁଳି ତଳ୍ପ ଖଟେ ଶୋଇଥିବା ବେଳେ
ମୋ ଛିଣ୍ଡା କିନ୍ଥାକୁ ଭାବିଛ କେବେ ?
ମୋ ଶ୍ରମ ଝାଳରେ ତୁମରି ପ୍ରାସାଦ
ଶୀତତାପ ନିୟନ୍ତ୍ରିତ କରିଛ
ଝାଇଁ ଝାଇଁ ଖରା ରକ୍ତ ପାଣି ଫାଟେ
ଏ କଥା କେବେ କି ଲକ୍ଷ୍ୟ କରିଛ ?
ଶ୍ରମିକଟିଏ ମୁଁ ଶ୍ରମିକଟିଏ
ମୋ ସୁଖ ଦୁଃଖକୁ ସାଉଁଟି ରହେ
ମୋ ଶ୍ରମର ସାର୍ଥକତା ହୋଇଗଲେ
ମନରେ ଆନନ୍ଦ ଖେଳୁ ଯେ ଥାଏ ।
ଶ୍ରମିକଟିଏ ମୁଁ ଶ୍ରମିକଟିଏ
ବଡ଼ ସପନ ମୁଁ ଦେଖିନି କେବେ
ପରିବାର ମୋର ପଖାଳ କଂସାରେ
ନିଇତି ଖୁସି ଯେ ସାଉଁଟୁ ଥାଏ ।