ଶାନ୍ତି
ଶାନ୍ତି
ମୋ ନାମଟି ଦୁଇ ଅକ୍ଷର ମୁଁ ତ ଜଗତେ ସାର ।
ଅମୂଲ୍ୟ ମଣି ଯେ ସଭିଙ୍କ ହୃଦ ରତନ ହାର ।।
ସାହିତ୍ୟ -ପୁରଣ -ଶାସ୍ତ୍ରରେ ମୁଁ ଅତ୍ୟନ୍ତ ଗୁରୁତ୍ଵ । ଦ୍ୟୁଲୋକ-ଭୁଲୋକ ସର୍ବତ୍ର ଖ୍ୟାତି ମୋର ମହତ୍ତ୍ବ ।।
'ଶାନ୍ତି' ନାମେ ମୁହିଁ ଵିଶ୍ବରେ ହୋଇଅଛି ବିଦିତ ।
ମୋ ନାମ ଶ୍ରବଣ ମାତ୍ରକେ ନର ହୁଅଇ ତୁଷ୍ଟ । ।
ମୋ ପାଇଁ ସମସ୍ତେ ବ୍ୟାକୁଳ ମୋତେ ପାଇବା ପାଇଁ ଜୀବନ ମୋ ବନୁ ଅସ୍ଥିର ଦୁଃଖ ଯନ୍ତ୍ରଣା ପାଇ । ।
ଦୀନ-ଦୁଃଖୀ-ରାଜା ପର୍ଯ୍ୟନ୍ତ ପ୍ରିୟ ସମସ୍ତଙ୍କର ।
ନାହିଁ ଭେଦଭାବ ମୋଠାରେ ସମସ୍ତେ ଆପଣାର ।।
ଭୋଗ ବିଳାସରେ କଦାପି ସତ୍ତା ନଥାଏ ମୋର ।
ଆଳସ୍ଯ ଓ ପରନିନ୍ଦାଠୁ ହୋଇଥାଏ ମୁଁ ଦୂର ।।
ଜ୍ଞାନ ଗୁରୁ ଅଟେ ଭାରତ ଶାନ୍ତିର ସେ ପ୍ରତୀକ ।
ଶାନ୍ତି ବାର୍ତ୍ତା ଦେଇ ବିଶ୍ବରେ ହେଲା ମହାନାୟକ ।।
ଶାନ୍ତିଦୂତ ହୋଇ ଶ୍ରୀକୃଷ୍ଣ ଦେଲେ ସନ୍ଧି ପ୍ରସ୍ତାବ ।
ଗର୍ବେ ପ୍ରତ୍ୟାଖ୍ୟାନ କରିଲେ ମନ୍ଦବୁଦ୍ଧି କୌରବ ।।
ଲାଲ ବାହାଦୂର ଶାସ୍ତ୍ରୀଜୀ ଥିଲେ ଶାନ୍ତିର ଦୂତ ।
ବିଶ୍ବରେ ଶାନ୍ତିର ପ୍ରଚାର କରି ହେଲେ ବିଖ୍ଯାତ।।
ସର୍ବଧର୍ମ ସମନ୍ବୟର ଦେଶ ଭାରତବର୍ଷ ।
ଶାନ୍ତି ଓ ସଦ୍ଭାବ ବତରି ବିଶ୍ବେ ଲଭିଛି ଯଶ ।।
ଶାନ୍ତି-ମୈତ୍ରୀ-ପ୍ରୀତି-ଶ୍ରଦ୍ଧାର ଅଟେ ମିଳନ ସ୍ଥଳ ।
ସହିଷ୍ଣୁତା ଗୁଣେ ଭାରତ ଜଗତରେ ବିରଳ ।।
ଶାନ୍ତି ଓ ସଦ୍ଭାବ ନିମନ୍ତେ ମିଳେ ଶ୍ରେଷ୍ଠ ସମ୍ମାନ ।
"ନୋବେଲ"ଙ୍କ ନାମେ ପ୍ରଦତ୍ତ ପୁରସ୍କାର ମହାନ ।।
ପୂଜା ଓ ବୈଦିକ କାର୍ଯ୍ୟରେ ହୁଅଇ ଶାନ୍ତି ପାଠ ।
ଶାନ୍ତି ପାଠ ଦ୍ବାରା ଖଣ୍ଡନ ହୁଏ ସକଳ ରିଷ୍ଟ । ।
ମାନସିକ ଅବସାଦ ଯେ ଅଶାନ୍ତିର କାରଣ ।
ଚିନ୍ତାରେ ମନୁଷ୍ୟ ଶରୀର ହୁଅଇ ଜରାଜୀର୍ଣ୍ଣ ।।
ଶାନ୍ତି ପ୍ରାପ୍ତି ପାଇଁ ମଣିଷ ହୁଏ ସଦା ଅସ୍ଥିର ।
ଅଶାନ୍ତ ମନରେ ସର୍ବଦା କରେ କାର୍ଯ୍ୟ ଅସାର ।।
ମୁକ୍ତ ଆକାଶରେ ବିହଙ୍ଗ ପାଏ ଅସିମ ଶାନ୍ତି ।
ପିଞ୍ଜରା ଆବଦ୍ଧ ଶୁଆଟି ସଦା ଇଚ୍ଛଇ ମୁକ୍ତି ।।
ସ୍ବାଧୀନ ଭାବରେ ପଶୁଏ ବନେ ସୁଖେ ଜୀବନ୍ତି ।
ଯନ୍ତା ମଧ୍ଯେ ବନ୍ଦୀ ହୋଇଣ ଭୋଗୁଥାନ୍ତି ଦୁର୍ଗତି ।।
'ଶାନ୍ତି' କୁ ପାଇବା ଜୀବନେ ଅତି କଷ୍ଟ ବ୍ୟାପାର ।
ସେବା-ଦାନ-ପୁଣ୍ୟ କର୍ମରେ ଶାନ୍ତି ମିଳେ ସତ୍ବର ।।
ସମ୍ପ୍ରତି ବିଶ୍ବର ସର୍ବତ୍ର ଅଶାନ୍ତି ଦୃଶ୍ଯମାନ।
ଅଶାନ୍ତିର ମୂଳ ବୀଜଟି ଉଗ୍ରବାଦ କାରଣ ।।
ସ୍ବଧର୍ମକୁ ଦ୍ବାହୀ ଦେଇଣ କରିଥାନ୍ତି ଜେହାଦୀ।
ନିରୀହଙ୍କୁ ହତ୍ଯା କରିଣ ହ୍ବନ୍ତି ଆତଙ୍କବାଦୀ ।।
ଆତଙ୍କବାଦୀଙ୍କ ଆତଙ୍କେ ଶାନ୍ତି ହୋଇଛି ଦୂର
ଭୟ ଓ ଶଙ୍କାରେ ମଣିଷ କରେ ଆର୍ତ୍ତ ଚତ୍କାର ।।
ସଂକୀର୍ଣ୍ଣ ଧର୍ମୀୟ ଭବନା ଯେବେ ଦୂର ନ ହେବ ।
ଉଗ୍ରବାଦୀ ରୂପୀ ରାକ୍ଷସ ବଶ୍ବ ଧ୍ବଂସ କରିବ ।।
ଜାତି-ଧର୍ମ ଭେଦ ଭୁଲିଣ ସର୍ବେ ଏକ ହୋଇବା ।
ବସୁଧାକୁ ଏକ ପରିବାରରେ ବାନ୍ଧିପାରିବା ।।
ଦେଶ ଦେଶେ ଶାନ୍ତି-ସଦ୍ଭାବ ହେଉ ସୁପ୍ରତିଷ୍ଠିତ ।
ମାନବ ମନରୁ ଅସୂୟା ଭାବ ହେଉ ଦୂରିତ ।।
ଶାନ୍ତିରୁ ମିଳଇ ମୁକତି ହେଲେ ଈଶ୍ବର ପ୍ରାପ୍ତି ।
ଈଶ୍ବର ପ୍ରାପ୍ତିର ହେତୁଟି ଶ୍ରଦ୍ଧାଭାବ ଓ ଭକ୍ତି ।।
ଅର୍ଥ ଯେ ଅଟଇ ଅନର୍ଥ ଅଶାନ୍ତିର କାରଣ ।
"ମୁଁ" କାର ପଣିଆ ବଢାଏ ନାଶ କରେ ଜୀବନ ।।
ତ୍ରବିଧ ଶାନ୍ତି ଯେ ସଂସାରେ ବେଦଶାସ୍ତ୍ର ବର୍ଣ୍ଣିତ ।
ଆଧ୍ଯାତ୍ମିକ-ଆଧିଭୌତିକ-ଆଧିଦୈବିକ ସେ ତ ।।
ଈଶ୍ବର ଭକ୍ତିରୁ ମିଳଇ ଆଧ୍ଯାତ୍ମିକ ଆନନ୍ଦ ।
ଦେବତାଙ୍କ ଆଶୀର୍ବାଦରୁ ପ୍ରାପ୍ତି ଦୈବୀକ ମୋଦ ।।
ପଞ୍ଚମହାଭୂତ ତତ୍ତ୍ବରୁ ପ୍ରାପ୍ତି ଭୌତିକ ତୁଷ୍ଟି ।
ଶାନ୍ତିର ତ୍ରିବାର ପଠନେ ମିଳେ ତ୍ରିତାପ ମୁକ୍ତି ।।