ବସ୍ତ୍ରହରଣ ପରେ
ବସ୍ତ୍ରହରଣ ପରେ
ବସ୍ତ୍ରହରଣ ପରେ...
ଆଉ କିଛି ରହିଲା କି ?
ସବୁ ତ ଚାଲିଗଲା...
ଶୁଭିଲା ଖାଲି
ସଚଳ ବସୁଧାର
ନିଶ୍ଚଳ ନିର୍ବାକ୍ କ୍ରନ୍ଦନ...
କୀର୍ତ୍ତିଯଶା କୁରୁସଭାର
ଅଣନିଃଶ୍ଵାସୀ ଦୀର୍ଘଶ୍ଵାସ...
ଅହଙ୍କାରୀ ଦୁର୍ଯ୍ୟୋଧନର
ଅଦମ୍ୟ ଅଥଚ ନିର୍ଲଜ୍ଜ ଫୁତ୍କାର...
ଶକୁନିର ତିର୍ଯ୍ୟକ୍ ଶବ୍ଦ ବାଣ....
ଆଉ,କପଟପାଶାର
ନିଷ୍ଠୁର ପରିଣତି !!
ବସ୍ତ୍ରହରଣ ପରେ...
ଲଜ୍ଜାରେ ନତମସ୍ତକ ସଭ୍ୟବୃନ୍ଦ...
ବସ୍ତ୍ର ବି ସ୍ୱୟଂସଙ୍କୁଚିତ... !!
ସତେ କି,ଧୂଆଁଳିଆ ବିକୃତିରେ
ବିବର୍ଣ୍ଣ ବର୍ଣ୍ଣାଳି,
ବିବସ୍ତ୍ରା କୁଳବଧୂଟିଏର
ସଂଭ୍ରମତା ବି ସରମି ଯାଇଥିଲା ।
ବସ୍ତ୍ରହରଣ ପରେ...
ଶ୍ରୀକୃଷ୍ଣଙ୍କ ହସ ବି ନିରାଶ୍ରୟ...
ଲଜ୍ଜା ସମ୍ବରଣ ପୂର୍ବକ
ସ୍ୱୟଂ ଚେଷ୍ଟିତ ଥିଲା,
ସତେ କି,ଦୈବୀ ବିଧାନର
ସଂକେତ ଦେବାକୁ !
ଭୀଷ୍ମଙ୍କ ବାର୍ଦ୍ଧକ୍ୟ ବି
ବଧିର,ବିବର୍ଣ୍ଣ, ଧର୍ମ ଧର୍ଷିତ... !
ଦ୍ରୋଣ,କୃପାଚାର୍ଯ୍ୟ,
ଆଉ ଯେତେ ଥିଲେ
ରଥୀ ମହାରଥୀ....
ସମସ୍ତଙ୍କ ମସ୍ତକ
ଲଜ୍ଜାରେ ନଇଁ ଯାଇଥିଲା
ଏଇ ଅଶାଳୀନ
ଅପକର୍ମ ପାଇଁ... !!
ବସ୍ତ୍ରହରଣ ପରେ...
ଧୃତରାଷ୍ଟ୍ର....
ଅନ୍ଧତ୍ୱର ଅଧୀନସ୍ଥ
କ୍ରୀତଦାସ ପରି ନିର୍ବାକ୍,
ନିର୍ଲଜ୍ଜ,ନିଲଠା ପଣ
ରେ
ଅତ୍ୟାଚାରୀ ଦୁର୍ଯ୍ୟୋଧନର
ପ୍ରତ୍ୟକ୍ଷ ସପକ୍ଷତା କରି ଚାଲିଥିଲେ !
ଗାନ୍ଧାରୀଙ୍କ କୃତ୍ରିମ ଅନ୍ଧତ୍ୱ
କ'ଣ ଦେଇ ପାରିଥିଲା ସତ୍ ଶିକ୍ଷା
ଅନ୍ଧତ୍ୱରେ ଅନ୍ଧତ୍ଵର ଦ୍ୱାହି ଦେଇ ??
ବିବଶ ବସୁଧା...
ହତବାକ୍ ହସ୍ତିନାପୁର..
ଶିଥିଳ ଆର୍ଯ୍ୟଭୂମି....
ସ୍ତବ୍ଧ ଥିଲା ଧର୍ମ.....
ଆଉ ନିର୍ବାକ୍ ବିବେକ....
ସର୍ବୋପରି... ,
ମର୍ଯ୍ୟାଦା ମରି ଯାଇଥିଲା !!
ନୀରବ ପାଲଟି ଯାଇଥିଲା ଦେବଲୋକ... !!!
ଏଇୟା କ'ଣ ଧର୍ମ...
ଏଇୟା କ'ଣ ଶାସ୍ତ୍ରର ନିୟମ...
ଏଇୟା କ'ଣ ବେଦ ସଂସ୍କୃତିର
ପାରମ୍ପରିକ ପରିଧାନ... ?
ଏଇୟା କ'ଣ ବୀରୋଚିତ
ଶୌର୍ଯ୍ୟମୟ ସଂସ୍କୃତିର
ଆଗାମୀ ସଭ୍ୟତା ପାଇଁ ଯୁଗବାର୍ତ୍ତା ?
ଏବେ ବି...
ଚାଲିଛି ସେଇ ବସ୍ତ୍ରହରଣ...
ବସୁଧାର ବସ୍ତ୍ରହରଣ....
ଧର୍ମର ବସ୍ତ୍ରହରଣ....
କର୍ମର ବିବସ୍ତ୍ରୀକରଣ...
ଚରିତ୍ରର ନଗ୍ନ ସ୍ଖଳନ....
ସମାଜର ପଙ୍କ ପ୍ରକ୍ଷାଳନ....
ବ୍ୟକ୍ତିତ୍ୱର ବିକାରୀକରଣ....
ସତ୍ୟ,ଧର୍ମ,ନ୍ୟାୟର
ବ୍ୟବସାୟୀକରଣ.... !!
ଆମେ ସବୁ
ଧର୍ଷିତ,ଲୁଣ୍ଠିତ ସେଇ
କୁତ୍ସିତ ମାନସିକତା ଦ୍ୱାରା...
ଅନେଇ ରହିଛୁ,
ଶକୁନିର ହସ ହସି
ପ୍ରୋତ୍ସାହିତ କରି ଚାଲିଛୁ....
ମଣିଷ ପଣିଆ ଆଜି ନପୁଂସକ...
ଆଉ,ଆମେ ନିର୍ବାକ୍ ,ନିଷ୍କ୍ରିୟ ,
କରପତ୍ର ଯୋଡି ନତମସ୍ତକ !!