ତୁମେ
ତୁମେ
ଯାହା ମୁଁ ଭାବୁଛି ତାହା ମୁଁ କରୁଛି
ଏସବୁରେ ତୁମେ ହର୍ତ୍ତା କର୍ତ୍ତା
ତୁମ ବିନା ପତ୍ର ହଲେନା ଗଛରୁ
ତୁମେ ସମ୍ଭାବନା ଭାଗ୍ୟ ବିଧାତା
ତୁମେ ତ ଦେଉଛ ଫୁଲରେ ସୁରଭି
ବନ୍ଦାପନା କରେ ଦଇବ ବିଧାତା
ତୁମରି ସୃଷ୍ଟିରେ ତୁଳସୀ ଓ ବେଲ
ତୁମେ ପରା ଆହେ ସୃଷ୍ଟିକର୍ତ୍ତା
ତୁମେ ରହିଅଛ ହସ ହୋଇ ଓଠେ
ତୁମରି ଚରଣେ ସମର୍ପିତା
ତୁମେ ରହିଅଛ ଆଖି କଣେ ଗଙ୍ଗା ହୋଇ
ଲୁହ ଧୋଇଦିଏ ସକଳ ବ୍ୟଥା
ତୁମରି ଆଖିରେ ଆଖି ମିଶିଲେ ଥରେ
ଲାଗେ ଅଛନ୍ତି ଜଗତ ପିତା
ତୁମରି ଭାବ ଏ ହୃଦୟ ଝୁରିଲେ
ଲାଗେ ସକଳର ରକ୍ଷାକର୍ତ୍ତା
ତୁମେ ତ ଦେଉଛ ସବୁ ପ୍ରାଣୀ ହୃଦେ
ସ୍ନେହ ବନ୍ଧନ ମାୟା ପ୍ରୀତି ମମତା
ତୁମେରି ପରଶ ଫୁଲରେ ଫଳରେ
ଆସେ କେତେ ପ୍ରାଣେ ଚମତ୍କାରିତା
ତୁମେ ବି ଭରିଛ ଜ୍ଞାନ ବୁଦ୍ଧି ବଳ
ମଣିଷପଣିଆ ମାନବିକତା
ତୁମେ ପୋଷାକ ତୁମେ ହିଁ ପୋଷକ
ତୁମ ଉପବନ ବାସେ ମହମହ ସ୍ନିଗ୍ଧତା ।