ପ୍ରିୟ ଭୂଇଁ
ପ୍ରିୟ ଭୂଇଁ
ହିମର ଶିଖର ଶୀଷରେ ସଜାଇ
ବିସ୍ତିର୍ଣ୍ଣ ହୁଏ ଯେଉଁ ଭୂଇଁ
ପାଦକୁ ତାହାର ଲହଡ଼ି ଚୁମ୍ବନେ
ମହାସାଗର ଯାଏ ଛୁଇଁ I
ଅମୃତ ଧାରିଣୀ ପୂଣ୍ୟର ତଟିନୀ
ଯାହା ବକ୍ଷରେ ଯାଏ ବହି
ସଭ୍ୟତାର ରୂପ "ସିନ୍ଧୁ,ସରସ୍ଵତୀ"
ବିଶ୍ଵକୁ ଯାଏ ସିଏ କହି I
ମୁନିଙ୍କ ମାନସ ଦେବତା ଇପ୍ସିତ
ଯେଉଁ ମାଟି, ମର୍ତ୍ତ୍ୟ ଲୋକର
ପୁରାଣେ ଵର୍ଣ୍ଣିତ ନବୀନ ନିର୍ମିତ
ଉତ୍ସ ସାଜେ ଜ୍ଞାନ ଆଲୋକର I
'ଓଁ' କାର ଧ୍ଵନିର ପ୍ରତିଧ୍ଵନି ଯହିଁ
ପ୍ରତି ହୃଦୟେ ପ୍ରାଣ ଜାଳେ
ଅରୁଣାଂଚଳର ପର୍ବତରୁ ଉଇଁ
ରବି ତହିଁ କିରଣ ଢାଳେ I
ପ୍ରାଚିରୁ ପଶ୍ଚିମ ଧର୍ମର ଆଲୋକ
ଯେଉଁ ଭୂମି ବେଦରେ ଭରେ
ସଂସ୍କୃତିର ରୂପ ସାହିତ୍ୟର ଆତ୍ମା
ସେହି ଧରା ଉତ୍ପନ କରେ I
ଶାନ୍ତି ମୈତ୍ରୀ ପ୍ରୀତି କ୍ଷମାର ବାରତା
ଯିଏ ଧରେ ଜଗତ ହିତେ
ନିମିଷେ ବିନାଶି ଶତ୍ରୁକୁ ସମରେ
ବିଶ୍ଵଗୁରୁ ସାଜେ ଜଗତେ I
