କରୁଣା ସାଗର
କରୁଣା ସାଗର
ଦୁଇ ବାହୁ ଟେକିଛ ସବୁ ତୁମେ ଦେଇଛ,
ରଖି ନାହଁ ହେ ବାକି, ଦେବାକୁ ସତେ କିଛି I
ଜୀବନ ମରୁଭୂମି, ତୁମେ ହିଁ ପଥଗାମୀ,
ଆତ୍ମାର ନଦୀ ଯଦି ପରଂବ୍ରହ୍ମ ମଣିଛି I
ଚକାଆଖି ଖୋଲିଛ ସବୁ ତୁମେ ଦେଖିଛ,
ମର୍ତ୍ତ୍ୟର ମଣିଷଟି, ମାଟିରେ ଯେ ମିଶିଛି,
ସତ୍ୟର ପଥେ ହଜି ତୁମ୍ଭ ଶରଣ ଖୋଜି,
ହୋଇଛି ଯେ ନିମଗ୍ନ ତୁମକୁ ସେ ପାଇଛି I
ବଂଶୀ ସ୍ଵନେ ମୋହନ କରିଛ ସମ୍ମୋହନ,
ତୁମ ଲାଗି ରାଧିକା ବୃନ୍ଦାବନେ ନାଚିଛି,
ରଖିଛ ମାନ ତୁମେ ହେ ଦିବ୍ୟ ପ୍ରିୟତମ,
ତୁମ ପ୍ରେମର ମନ୍ତ୍ର ମୀରା ପରା ଗାଇଛି I
ମାୟାର ସଂସାରରେ ମିଛ କାୟାର ସାଥେ,
ଜୀବନ ଜଞ୍ଜାଳରେ ଯେବେ ଆତ୍ମା ଜଳିଛି,
ସାଜିଅଛ ତୁମେ ହିଁ ଶୀତଳ ବର୍ଷା ଧାର,
ମୋର ମୋହର ବ୍ୟଥା ତୁମ ଯୋଗୁଁ ଟଳିଛି I
ତିନି ଲୋକ ସ୍ଵାମୀ ହେ ଭାବ ଗ୍ରାହୀ ସାଜିଛ,
ଭକ୍ତି ଭାବ ଅଭାବ ମଣିଷକୁ ସାରୁଛି,
ଘେନ ପ୍ରଭୁ କରୁଣା, ରକ୍ଷା କର ଧରଣୀ,
ତୁମ ପାଖେ ଏତିକି ମାଗୁଣି ମୁଁ ମାଗୁଛି I