ସଖୀ-୪
ସଖୀ-୪
ସଖୀ ଗୋ...
ତୁମେ ମୋ ଜୀବନ ଭାଗ୍ୟ ଆକାଶରେ
ତେଜୋଦୀପ୍ତ ଧ୍ରୁବତାରା ।
ତୁମରି ଶୁଭେଚ୍ଛା କର୍ମକ୍ଷେତ୍ରେ ମୋର
ମଙ୍ଗଳ ମନାସୀ ଧାରା ।।୧।।
କେଉଁ ଏକ ଦିବ୍ୟ ପବିତ୍ର ଜଟାରୁ
ଆସିଅଛ ତୁମେ ବହି ।
ଧୋଇନେବ ସବୁ ପାପ ଆବର୍ଜନା
ପୁଣ୍ୟ ହେବ ଦେହ ମହୀ ।।୨।।
ଅନନ୍ତ ପଥର ଯାତ୍ରାରେ ତୁମେ ମୋ
ବତୀଘରଟିଏ ପରି ।
ସେହି ଆଲୋକର ଉଜ୍ଜ୍ବଳ ଶିଖାକୁ
ଯାଏ ମୁହିଁ ଅନୁସରି ।।୩।।
କେଉଁ ଏକ ଶୁଭ ମୁହୂର୍ତ୍ତରେ ସଖୀ
ଜନ୍ମିଅଛ ଧରାବୁକେ ।
ଦିବ୍ୟ ଅମୃତର ଆସ୍ଵାଦନ ଆଣି
ଥୋଇଦେଲ ମୋର ମୁଖେ ।।୪।।
ବ୍ରାହ୍ମ ମୁହୂର୍ତ୍ତର ଚଞ୍ଚଳତା ତୁମ
ଐଶ୍ୱରୀୟ ଦୀପ୍ତିମନ୍ତ ।
ଭାଙ୍ଗିଦିଅ ତୁମେ ଐନ୍ଦ୍ରିକ ଭାବର
ଅଳସତା ସୁପ୍ତବତ ।।୫।।
ପ୍ରାତଃ ଦିବାକର କରରେ ଧରଣୀ
ହେବାପୂର୍ବୁ ଶୋଭାବନ୍ତ ।
ତୁମେ କେଉଁ ଦିବ୍ୟ ଶକ୍ତି ଶରୀରରେ
ସଂଜାତ ବିଦ୍ୟୁତ୍ ବତ ।।୬।।
ନଶ୍ୱର ଶରୀର ନବଦ୍ବାରେ ମୋର
ନାଶକର ଆଦିମତା ।
କମ୍ପନ ଉଠଇ ବିବେକ ଗହ୍ୱରେ
ତେଜୀୟାନ ଉଦାମତା ।।୭।।
ମନ ପ୍ରାଣ ସବୁ ଏକାକାର ହୋଇ
ହୁଅନ୍ତେ ଈଶ୍ୱରେ ରତ ।
ପରମାନନ୍ଦର ସତ୍ତାରେ ମୁଁ ନିଜେ
ହୋଇଯାଏ ଅନୁଗତ ।।୮।।
ଅଷ୍ଟ ଛନ୍ଦ ବନ୍ଧେ ପ୍ରଣିପାତ ପୂର୍ଣ୍ଣ
ପରବ୍ରହ୍ମେ ସମର୍ପିତ ।
କ୍ଳାନ୍ତି କ୍ଳେଶ ଦୁଃଖ ଅବସାଦମାନ
ହୋଇଯାନ୍ତି ତିରୋହିତ ।।୯।।
ପ୍ରତ୍ୟୁଷ ସମାପ୍ତେ ଦିବସ ଜଞ୍ଜାଳ
ଘାରେ ନାହିଁ ମୋର ଚିତ୍ତ ।
ସଦା ହୃଦୟରେ ସ୍ମରଣ ଥାଆନ୍ତି
ପରଂବ୍ରହ୍ମ ବିରାଜିତ ।।୧୦।।