ସୁଖୀ ଜୀବନ
ସୁଖୀ ଜୀବନ


ତ୍ରେତୟାରେ ରାମ ଦ୍ୱାପରେ ପାଣ୍ଡବ
ଶିକ୍ଷା ଦେଲେ ମାନନୀୟ ।
ନୀତି ଓ ନିୟମ ସତ୍ୟ ଓ ଧରମ
ମାନବର ପାଳନୀୟ ।।୧।।
ନୀତି ଓ ନିୟମ ନମାନି ମାନବ
ଦେଖାଏ ଅହଂର ବଳ ।
ସେଥିପାଇଁ ତାକୁ ସହିବାକୁ ପଡେ
ନାନା କୃତକର୍ମ ଫଳ ।।୨।।
ସୁଖ ଶାନ୍ତି ପାଇଁ ଶରୀର ଓ ମନ
ସୁସ୍ଥ ହେବା ଅନିବାର୍ଯ୍ୟ ।
ସୃଷ୍ଟି ରକ୍ଷା ପାଇଁ ପ୍ରକୃତିର ରକ୍ଷା
ନିହାତି ଅପରିହାର୍ଯ୍ୟ ।।୩।।
ଇନ୍ଦ୍ରିୟ ସଂଯମେ ବୃତ୍ତି ନିୟନ୍ତ୍ରଣ
ମନ ଶାନ୍ତି ପାଇଁ ଧ୍ୟାନ ।
ଜୀବନ ନିର୍ବାହ କରିଲେ ମାନବ
ଲଭି ଆଧ୍ୟାତ୍ମିକ ଜ୍ଞାନ ।।୪।।
ଜୀବନ ଯୁଦ୍ଧରେ ହାରନ୍ତାନି କେବେ
ସଫଳତା ପ୍ରାପ୍ତି ପଥେ ।
ସଂକଳ୍ପ ସଂଯମ ସ୍ୱାଧ୍ୟାୟ ବଳରେ
ସିଦ୍ଧି ପ୍ରାପ୍ତ ଦେହ ରଥେ ।।୫।।
ଦୟା କ୍ଷମା ଶ୍ରଦ୍ଧା ପ୍ରେମ ଭକ୍ତି ତ୍ୟାଗ
ଆପଣେଇ ନେଇ ଜନ ।
ଖୁସିରେ ବଞ୍ଚନ୍ତା ଅମୃତ ମାନବ
ସୁସ୍ଥ ଦୀର୍ଘାୟୁ ଜୀବନ ।।୬।।
ହେ ଦିବ୍ୟ ମାନବ ତୁହି ପରା ଅଟୁ
ପରଂବ୍ରହ୍ମଙ୍କର ଅଂଶ ।
ଜାଗରିତ କଲେ ଅନ୍ତରାତ୍ମା ତୋର
ସଂକଟ ହୋଇବ ଧ୍ୱଂସ ।।୭।।