ସଖୀ-୫
ସଖୀ-୫
ସଖୀ ଗୋ.......
ଅଙ୍କେ ଆସି ବସ ଆହେ ପ୍ରିୟ ସଖୀ
ମଧୁର ଗାନ୍ଧାରେ ସ୍ୱର ତୋଳିବା ।
ହଜିଯିବା କେଉଁ ଶୂନ୍ୟ ଭୁବନରେ
ପବନରେ ଗତି କ୍ଷିପ୍ର ଚାଳିବା ।।୧।।
ଦୂର ଗଗନର ନୀଳିମାକୁ ଛୁଇଁ
ବିହଙ୍ଗମ ସମ ଉଡି ବୁଲିବା ।
ଦିନକର ପାଶୁ ମେଞ୍ଚାଏ କିରଣ
ଆଣି ତାରାପାଶେ ପହଞ୍ଚିଯିବା ।।୨।।
ସାରା ଆକାଶର ତାରା ଗଣୁ ଗଣୁ
ଗ୍ରହାଣୁପୁଞ୍ଜରେ ଧକ୍କା ହୋଇବା ।
ଧ୍ରୁବତାରା ପାଶେ ପହଞ୍ଚିଲା ପରେ
ଉତ୍ତରଦିଗକୁ କ୍ରମେ ପାଇବା ।।୩।।
କ୍ଳାନ୍ତ ଅବୟବେ ସ୍ବେଦ ମୁକ୍ତା ବିନ୍ଦୁ
ଉଷ୍ଣତାର କ୍ଳାନ୍ତି ଦେବେ ମେଣ୍ଟେଇ ।
ଅବସନ୍ନ ହୋଇ ନିମିଷକ ମଧ୍ୟେ
ଶିଥିଳ ଉପସ୍ଥ ଯିବେ ଦୂରେଇ ।।୪।।
କେତେଦିନ ଆଉ ଚାଲୁଥିବା ସଖୀ
ଐନ୍ଦ୍ରିକ ସୁଖର ଜାଲରେ ଛନ୍ଦି ।
ନରକ ଯନ୍ତ୍ରଣା ଦିଅନ୍ତି ଏମାନେ
ବୁଢିଆଣୀ କଲା ପରିକା ବନ୍ଦୀ ।।୫।।
ଗୋଡକାଢି ସଖୀ ସେ ପଙ୍କ ଭିତରୁ
ବଗମାଛଖିଆ ଥଣ୍ଟ ହଟେଇ ।
କାର୍ତ୍ତିକ ମାସର ପଞ୍ଚୁକ ପାଳିଲେ
ମନଟା ବିପାକୁ ଯିବ ଦୂରେଇ ।।୬।।
ଇନ୍ଦ୍ରିରୂପୀ ଘୋଡ଼ା ସ୍ଥିର ରଖିବାକୁ
ଟାଣିରଖ ମନ ଦଉଡି ସଖୀ ।
ନହେଲେ ସେମାନେ ଦେହରୂପୀ ରଥ
ଭୂମିରେ ଲୋଟାଇ ଦେବେଟି ରଖି ।।୭।।
ଜୀବାତ୍ମାର ମୁକ୍ତି ପାଇଁକି ସର୍ବଦା
ବିବେକକୁ ଗୋଡେଗୋଡେ ଜଗିକି ।
ଥିରି ଥିରି ପାଦେ ଚାଲୁଥିବା ସଖୀ
ଖସିଯିବ କାଳେ ଦେଖ ଚାହିଁକି ।।୮।।
ଇଡା ପିଙ୍ଗଳା ଓ ସୁଷୁମ୍ନା ନାଡୀରେ
କ୍ରୀଡା କରୁଥାନ୍ତି ସେ ଶୂନ୍ୟରୂପ ।
ମୋହମାୟାରୂପୀ ଅଖିଳ ସଂସାର
ଅଟଇ ତାଙ୍କର ଯେ ବିଶ୍ୱରୂପ ।।୯।।
ତେଣୁ ଚାଲ ସଖୀ ନୀରବ ନିଶ୍ଚଳେ
ସେହି ଶାଶ୍ୱତର ସ୍ୱର ଶୁଣିବା ।
ଅସୀମ ସତ୍ତାରେ ତଲ୍ଲୀନ ହୋଇକି
ମନ ପବନରେ ପ୍ରାଣ ତୋଳିବା ।।୧୦।।