STORYMIRROR

Yudhisthira Lenka

Abstract Inspirational

3  

Yudhisthira Lenka

Abstract Inspirational

ପରଂବ୍ରହ୍ମଙ୍କୁ ପ୍ରାର୍ଥନା

ପରଂବ୍ରହ୍ମଙ୍କୁ ପ୍ରାର୍ଥନା

1 min
473

ଆହେ ପରଂବ୍ରହ୍ମ ଅରୂପ ଅବ୍ୟକ୍ତ

ଅଚିନ୍ତ୍ଯ ଅଲେଖନାଥ

ତୁମ୍ଭେ ପ୍ରଭୁ ଥାଉ ଭବସିନ୍ଧୁ ଜଳେ

ଭାସୁଛି ହୋଇ ଅନାଥ ।।୧।।


ତୁମ୍ଭେ ହିଁ ତ ମାତା ସର୍ବ ଜୀବ ପିତା

 ତୁମ୍ଭେ ଯେ ଅଖିଳପତି

ତୁମ୍ଭେ ସର୍ବବ୍ୟାପ୍ତ ଥାଇ ଏ ସଂସାରେ

ଭୋଗୁଛି କାଳ ବିପତ୍ତି ।।୨।।


ଏକ ବ୍ରହ୍ମୁ ଜାତ ଜୀବଟି ସମ୍ଭୁତ

ଏକ ମୋ ଇଷ୍ଟ ବାନ୍ଧବ

ଆରେକ ମୁଁ କେବେ ଭାବିନାହିଁ ହୃଦେ

ଶପଥ ମୋର ହେ ଦେବ ।।୩।।


ସବୁ ଆଶା ତେଜି ମନେ ଏକ ଭଜି

କରିଅଛି ଯଦି ତ୍ରୁଟି

ମାର ଅବା ତାର ଅନ୍ୟେ ନାହିଁ ବାଞ୍ଛା

ଯିବିନାହିଁ ଅନ୍ୟେ ରୁଠି ।।୪।।


ତ୍ରିତାପେ ଏ ଦେହ ହୋଇ ପ୍ରପୀଡ଼ିତ

ତୁମ୍ଭ ପାଦେ ଭୁଲି ଭକ୍ତି

ପାଶୋରି ସ୍ୱରୂପ ପଡି ଭବ କୂପ

ଲୋଡୁଅଛି ଟିକେ ମୁକ୍ତି ।।୫।।


କାମନାର ଜାଲେ ପଡି ନିତି ଭାଳେ

ଗଡି ଚାଲେ ରାତିଦିନ

କିଭଳି ଉଦ୍ଧାର ହୋଇବି ଏଥିରୁ

ଭାଳି ଅଥୟ ମୋ ମନ ।।୬।।


ମାଗୁନାହିଁ ପ୍ରଭୁ ଗୋପ ଜନ ଲକ୍ଷ୍ମୀ

ସକଳ ସମ୍ପଦ ଥଳି

ତୁମ୍ଭ ପାଦପଦ୍ମ ମକରନ୍ଦେ ମନ

ଥାଉ ଯେହ୍ନେ ପଦ୍ମେ ଅଳି ।।୭।।


ଏ ଭବ ସାଗରୁ ପାରି କରି ମୋତେ

ଉଦ୍ଧରି ନିଅ ଝଟତି

ତୁମ୍ଭଙ୍କୁ ଜଣାଏ ଅନ୍ତର ବେଦନା

ବାରେ ଘେନ ମୋ ବିନତୀ ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract