ସଖୀ-୨
ସଖୀ-୨
ସଖୀ ଗୋ.......
କେଉଁ ଏକ ଶୁଭ ଲଗନରେ ତୁମେ
ହେଲ ମୋର ଅର୍ଦ୍ଧାଙ୍ଗିନୀ ।
ବୟସର କ୍ଳାନ୍ତ ଅପରାହ୍ନେ ମଧ୍ୟ
ତୋଳୁଛ ପ୍ରୀତି ରାଗିଣୀ ।।
ପିତୃସତ୍ୟ ପାଳି ବିବାହ ବେଦୀରୁ
ଆଣିଲି ବରଣ କରି ।
ବାସର ରାତ୍ରିର ମହକେ ଲାଗିଲ
ଜନ୍ମ ଜନ୍ମ ସାଥୀପରି ।।
ଅଦେଖା ଅଶୁଣା ଅଜଣା ତଥିଲ
ଆପଣାର କରିନେଲ ।
ତୁମ ଦିବ୍ୟ ତନୁ ରତିର ସ୍ପର୍ଶରେ
ମନ ମୋର ମୋହିନେଲ ।।
ତିରିଶି ବରଷ ଅତିକ୍ରାନ୍ତେ ମଧ୍ୟ
ଲାଗେ ମୋତେ କାଲିପରି ।
ସୁଗୁଣେ ତୁମର ଘର ପରିବାର
ରଖିଛ କିମିଆଁ କରି ।।
ଭକ୍ତିରସେ ଆର୍ଦ୍ର ହୃଦୟ ତୁମର
ଦିବ୍ୟପ୍ରେମ ମହକରେ ।
ମନର ଗବାକ୍ଷ ଡେଇଁ ହୃଦୟକୁ
ମୋର ଆଲୋକିତ କରେ ।।
ନିର୍ମଳ ମନର ଭକ୍ତିଭାବ ତୁମ
ହୃଦେ ସଦା ବିରାଜିତ ।
ତୁମ ସାନିଧ୍ୟରେ ଭକ୍ତିଦେବୀ ମୋର
ହୃଦେ ହେଲେ ଉଜ୍ଜୀବିତ ।।
ସାଧୁ ସନ୍ଥ ଜନ ସେବାରେ ଧୂରୀଣ
ବାରମ୍ବାର ଅଭ୍ୟାସରୁ ।
ପାଇଛ ହେ ସଖୀ ବହୁ ପୁଣ୍ୟବଳେ
ପୂର୍ବଜନ୍ମ ସୁକୃତରୁ ।।
ଗୁରୁ କର୍ଣ୍ଣଧାର ଈଶ ସମୀରରେ
ମିଶିଲା ମୋ ତନୁମନ ।
ମାନବ ଜନମ ସାର୍ଥକ ହୋଇଲା
ଅଟଇ ତୁମ ପ୍ରଯତ୍ନ ।।
ତୁମେ ସଖୀ ଯଦି ପାଶେ ଥାଅ ମୋର
ଡର ନଥାଏ କାଳକୁ ।
ଜନ୍ମ ଜନ୍ମାନ୍ତରେ ତୁମ ପରି ସଖୀ
ମିଳୁଥାଉ ଅଧମକୁ ।।
ଚାଲ ସଖୀ ଆମେ ଏବେ ଫେରିଯିବା
ଆମର ଦିବ୍ୟ ଧାମକୁ ।
ପରମ ଆନନ୍ଦେ ବିହରିବା ସେଠି
ଡରିବାନି ପ୍ରଳୟକୁ ।।