କରୋନା ସନ୍ଦେଶ
କରୋନା ସନ୍ଦେଶ
କରୋନା କହୁଛି ଆରେ ମଣିଷ ।
ଦେଖିପାରୁନାହୁଁ ତୋର ଭବିଷ୍ୟ ।।
ମଣିଷର ନୁହେଁ କେବଳ ମହୀ ।
ସବୁ ଜୀବଙ୍କର ନିବାସ ତହିଁ ।।
ଭୂତାଣୁଠୁ ବଡ ପ୍ରାଣୀ ପର୍ଯ୍ୟନ୍ତ ।
ପରଂବ୍ରହ୍ମ ସୃଷ୍ଟି ଏହା ସମସ୍ତ ।।
ବଞ୍ଚିବା ସମସ୍ତଙ୍କ ଅଧିକାର ।
ଶୃଙ୍ଖଳା ଭାଙ୍ଗଇ ମଣିଷ ତାର ।।
ସଂକଟରେ ପଡେ ସେ ବାରମ୍ବାର ।
ଶାନ୍ତିଭଙ୍ଗ କରି ନିରବତାର ।।
ମଣିଷ ମାନେନି ବିଧିବିଧାନ ।
ଆହାରେ ବିହାରେ ଅସାବଧାନ ।।
ଯାହା ପାଏ ତାହା କରେ ଭକ୍ଷଣ ।
କଞ୍ଚାମାଂସ ମଧ୍ୟ କରେ ଭୋଜନ ।।
ପଶୁପକ୍ଷୀ ସରୀସୃପ ପତଙ୍ଗ ।
ଜୀବ ଶୃଙ୍ଖଳକୁ କରଇ ଭଙ୍ଗ ।।
ତାଙ୍କ ଦେହୁ ଭୂତାଣୁ ସଂଚାରଣ ।
ମଣିଷ ଦେହେ ହୁଏ ସଂକ୍ରମଣ ।।
ଗୃହପାଳିତ ପଶୁପକ୍ଷୀ ବାନ୍ଧି ।
ଖାଉଛି ମଣିଷ ତାହାକୁ ରାନ୍ଧି ।।
ବନ୍ଧାହୋଇ ଆଜି ରହିଛି ଘରେ ।
ସେମାନଙ୍କ ଅଭିଶାପ ଫଳରେ ।।
ମଣିଷ ପାଖରେ ବୁଦ୍ଧି ବିବେକ ।
ଦେଇଛି ଈଶ୍ୱର ନିରେଖି ଦେଖ ।।
ଖାଦ୍ୟଶୈଳୀ କଲେ ପରିବର୍ତ୍ତନ ।
ସ୍ୱଚ୍ଛତା ଜୀବନେ କଲେ ପାଳନ ।।
ସୁରକ୍ଷିତ ହେବ ଆମ ଜୀବନ ।
କରୋନା ସନ୍ଦେଶ ହେ ସୁଧୀଜନ ।।