ସଖୀ-୧
ସଖୀ-୧
ସଖୀ ଗୋ.......
ସାଗର କୂଳରେ ମାପିକେ ପାରିବ
ସାଗରର ଗଭୀରତା ।
ପାଶେ ଥାଇ ମଧ୍ୟ ମାପି ପାରେ ନାହିଁ
ତୁମ ମନ ଉଦାରତା ।।
ଦୂରେ ଥିଲେ ମଧ୍ୟ ତୁମ ପ୍ରତିଛବି
କୁହେ ମୋତେ ନାନାକଥା ।
ହୃଦୟ ଆଇନା ସୂକ୍ଷ୍ମ ପରଦାରେ
ଦେଖେ ତୁମ ମନବ୍ୟଥା ।।
ତୁମେ ଆକାଶର ବିଶାଳ ବକ୍ଷରେ
ତାରାମେଳେ ଜହ୍ନବତୀ ।
ଚନ୍ଦ୍ରମା କିରଣ ସ୍ୱରୂପ ମମତା
ଢାଳୁଥାଅ ନିତିପ୍ରତି ।।
ଝଲସାଉଥାଅ ଜୀବନ ତରୁରେ
ଶାନ୍ତ ସ୍ନିଗ୍ଧ ସବୁଜିମା ।
ସ୍ୱର ହିଁ ତ ତୁମେ ଦିବ୍ୟ ଚେତନାର
ନାହିଁ ଯାର କୂଳସୀମା ।।
କମନୀୟ ତୁମ ରୂପ ଲାବଣ୍ୟରେ
ରହିମୁହିଁ ଆନମନା ।
ବିସ୍ମୃତି ଗର୍ଭରେ ଲୀନ ହୋଇଯାଏ
ଭୁଲି ସଂସାର କାମନା ।।
ମୋହମାୟା ଏହି ଅସାର ସଂସାରେ
ଦଗ୍ଧୀଭୂତ ତୁମ ଚିତ୍ତ ।
ବ୍ୟଥା ବେଦନାର ବିଷ ପିଇ ମଧ୍ୟ
ଗାଅ ଜୀବନ ସଙ୍ଗୀତ ।।
ନୂତନ ସୃଷ୍ଟିର ସ୍ରଷ୍ଟା ତୁମେ ଦେବୀ
ଅସହ୍ୟ ବେଦନା ସହି ।
ସୃଷ୍ଟିକର ଏହି ମରତ ବୈକୁଣ୍ଠେ
ପରିବାର ଯାକୁ କହି ।।
ତୁମ ଦିବ୍ୟ କର୍ମ ତପସ୍ୟାର ସମ
ଏ ଭବ ସଂସାର ହାଟେ ।
ଦୁର୍ଲ୍ଲଭ ଜୀବନ ସାର୍ଥକ କରିକି
ଚାଲିଯିବ ତୁମ ବାଟେ ।।
ଖୋଜୁଥାଏ ମୁହିଁ ତୁମରି ଭିତରେ
ଜୀବନର ଦିବ୍ୟସତ୍ତା ।
ହଜିଯିବା ପାଇଁ ତୁମ ସେ ସତ୍ତାରେ
କ୍ଷମା ଦେବ ମୋ ଧୃଷ୍ଟତା ।।
ଦେବୀ ତୁମେ ଅଟ ମାନବୀ ରୂପରେ
ପୁଣ୍ୟବନ୍ତା ଶୁଦ୍ଧପୂତା ।
ଅଦୃଶ୍ୟ ସତ୍ତାକେ ଏ ଇହ ସଂସାରେ
କରିଅଛି ଆବିର୍ଭୂତା ।।