ସଖୀ-୬
ସଖୀ-୬
ଧୀରେ ଧୀରେ ଚାଲ ସଖୀ ପାଦ ଚିପି ଚିପି ଦେଖି
ତ୍ରିତାପ ସଂସାରେ ପରା ଆସଇ ମାଡି ।
ଏ ଭବ ସାଗରେ ପୂର୍ଣ୍ଣ କାଳରୂପୀ ଜଳଚରେ
ଗ୍ରାସିବାକୁ ଜଗିଛନ୍ତି ଜିଭକୁ କାଢି ।।
କେ କରିବ ଏଥୁ ନିସ୍ତାର ,
ପରଂବ୍ରହ୍ମ ପାଦବିନା ନାହିଁ ଉଦ୍ଧାର ।।୧।।
ଅଶେଷ ଜଗତ ଯେଣୁ ଲେଖାରେ ଲିଖିତ ତେଣୁ
ସେଥିପାଇଁ ବୋଲାଇଲେ ସିଏତ ଲେଖ ।
ସୃଷ୍ଟିକର୍ତ୍ତା ପରଂବ୍ରହ୍ମ ଅଶବ୍ଦ ଅବର୍ଣ୍ଣ ସେତ
ଅବ୍ୟକତ ହେତୁ ବୋଲାଇଲେ ଅଲେଖ ।।
ଧ୍ୟାଉଛନ୍ତି ସନ୍ଥଜନରେ,
ମହିମା ଅଲେଖ ନାମ ଷଡାକ୍ଷରରେ ।।୨।।
ପଞ୍ଚଭୂତ ବ୍ରହ୍ମାଣ୍ଡରେ ଅଛନ୍ତି ମଧ୍ୟ ପିଣ୍ଡରେ
ପଚିଶି ପ୍ରକୃତି ଧରି ତଥି ମଧ୍ୟରେ ।
ସମଷ୍ଟି ବ୍ୟଷ୍ଟିରେ ରହି କର୍ମଫଳ ପ୍ରକାଶଇ
ସଂସାରର ଏହି ମୂଳ ସତ୍ୟ ତତ୍ତ୍ଵରେ ।।
ଜନ୍ମ ମୃତ୍ୟୁ ପଛରେ ଧାଇଁ,
ଜୀବକୃତ କର୍ମଫଳ ଦିଅନ୍ତି ଥାଇ
।।୩।।
ତିଳେ ତୈଳାଧାର ପରି ପିଣ୍ଡରେ ଅଲେଖପୁରୀ
ଜୀବଜଗତର ପରା ଅଟେ ଜୀବନ ।
ବାରକଳାରେ ଶରୀର ପିଣ୍ଡ ବ୍ରହ୍ମାଣ୍ଡରେ ସ୍ଥିର
କହିଛନ୍ତି ଗୀର ପରା ସୁଜ୍ଞାନୀଜନ ।।
ଖୋଜୁଅଛ କାହିଁକି ଅନ୍ୟେ,
ଜଳଜଳ ଦିଶୁଥାଇ ଦିବ୍ୟନୟନେ ।।୪।।
ବହୁଜନ୍ମ ତପଫଳେ ଜନମିଛେ ଧରାତଳେ
ମାନବ ଜନମ ପୁଣ୍ୟ ଶରୀର ପାଇ ।
ସେ ଜ୍ଞାନକୁ ଭୁଲିଗଲେ ଆଉ ବା ମିଳିବ ଭଲେ
ଭ୍ରମୁଥିବା ନାନାଯୋନି ଜନ୍ମରେ ଯାଇ ।।
ପ୍ରାପ୍ୟଜ୍ଞାନ ନଭୁଲି ସଖୀ,
ଗାଉଥିବା ପ୍ରଭୁନାମ ହୃଦୟେ ରଖି ।।୫।।
କରୋନା କାଳଲହଡି ଦିନୁଦିନ ଆସେ ମାଡି
ପ୍ରବେଶ ହୋଇଣ ସୃଷ୍ଟି କରେ ବିନାଶ ।
ଏମନ୍ତ ଦେଖି ନେତ୍ରରେ ନଡରି ଭୟ କାତରେ
ବେଳ ଥାଉ ଥାଉ ଜ୍ଞାନ କରି ପ୍ରକାଶ ।।
ଗୁରୁଦୀକ୍ଷା ଧର୍ମ ଧନରେ,
ଚାଲସଖୀ ଧ୍ୟାନରଖି ଧରି ଚିତ୍ତରେ ।।୬।।