ପତ୍ରଝଡା
ପତ୍ରଝଡା
ବଦଳା ଋତୁରେ ଭାବ ଯା' ଉତୁରେ
କାହାକୁ କହିବି ପ୍ରିୟେ
ସଙ୍ଗୀତ ଆସରେ ଖୋଜି ନିରାଶରେ
ମଉନେ ବିରାମ ନିଏ ।
ମୋ' ଗୀତ ଆବୃତି ଇଚ୍ଛାଟି ଆପୂର୍ତ୍ତି
ତୁମ ଓଠେ ଥରେ ହେଉ
ଲାଳିତ୍ୟ ସାଥିରେ କୋମଳ ଛାତିରେ
ଖେଳନ୍ତା ପ୍ରୀତିର ଢେଉ ।
ପ୍ରତ୍ୟେକ ପଦରେ କାମୋଦୀ ଛନ୍ଦରେ
ରଞ୍ଜାଇ ଅପୂର୍ବ ସ୍ବାଦ
ଗାଇଲେ ତାନରେ ଶିହରି କାନରେ
ଶୁଣନ୍ତି ମଧୁର ନାଦ ।
ସାନ୍ନିଧ୍ୟ ତରଙ୍ଗେ କେବେ ତୁମ ଅଙ୍ଗେ
ଦେଖି ଆସିଥିଲି ଯାହା
ହରଷ ଚିତ୍ତରେ ଉପମା ଭିତରେ
ବିନ୍ୟାସ କରିଛି ତାହା ।
ନିବିଡ଼ ଆଶ୍ଳେଷେ ଆଙ୍କିଛି ଆବେଶେ
ବାହୁବନ୍ଧନର ଚିହ୍ନ
ସୁଲଳିତ ନାଦେ ବିତିଥାନ୍ତା ହ୍ଲାଦେ
ଅପେକ୍ଷାର ଏହି ଦିନ ।
ଆସିଥାନ୍ତ ଝୁରି ଧ୍ବନିର ଚାତୁରୀ
ଭରି ଦେଇଥାନ୍ତା ଜ୍ବାଳା
ତରଳିବା ପରେ ବୁଝିଥା'ନ୍ତ ଥରେ
ଆସକ୍ତ ଏ' ରଙ୍ଗଶାଳା ।
ଯଦିଓ ସଦନେ ଆଳପୀ ବଦନେ
ଘୂରୁଛି ସନ୍ଧାନ କରି
ଏକା ନିର୍ବାସନେ ବିରହ ତ୍ରାସନେ
ଅକାଳେ ଯିବି କି ମରି !
ଦେଖୁଛି ଭୁବନେ ଏଣେ ମଧୁବନେ
ଥୋଇଲେ ସଧୀର ପାଦ
ଶୁଷ୍କ ପତ୍ରତରୁ ସମୂହ ଭିତରୁ
ଶୁଭୁଛି ନିର୍ଦ୍ଦୟ ନାଦ ।
ସ୍ବରରୁ ବଞ୍ଚିତ ସରାଗେ ସଞ୍ଚିତ
ରାଗିଣୀର କେଇ ଧାଡ଼ି
ପତ୍ରଝଡା ଦେଖି କେଉଁଠି ଉପେକ୍ଷି
ରହିଛ ଆସର ଛାଡ଼ି ?