ଶୀତୁଆ ସକାଳେ
ଶୀତୁଆ ସକାଳେ
ସ୍ମୃତିର ସାଥିରେ ଏମିତି ରାତିରେ
ଯେବେ ଏ' ସପନରାଜି
କରଇ ବ୍ୟଥିତ ଅଭୁଲା ଅତୀତ
ମନେ ପଡିଯାଏ ଆଜି ।
କେବଳ କମ୍ବଳ ସାଜିଛି ସମ୍ବଳ
ଆତୁରେ ବିତେ ଏ' ରାତି
ଟିକିଏ ଝଲକ ପାଇଁ ମୋ' ପଲକ
ଖୋଲା ରହିଯାଏ ସାଥୀ ।
ଇଚ୍ଛା ତ ଅଟଳ ମାନସ ପଟଳ
ଛବି ଆଙ୍କେ ପ୍ରତି ସ୍ତରେ
କିଛି ଅନୁଭବ ହୁଅନ୍ତେ ଉଦ୍ଭବ
ଝୁରି ମରେ ଥରେ ଥରେ ।
ରାତି ଆସେ ପାହି ଶୋକେ ଅବଗାହି
ଶୀତୁଆ ସକାଳେ ଦେଖେ
କୁସୁମେ କାକର ଜୀବନ ଯାକର
ବିରହ କବିତା ଲେଖେ ।
କୁହୁଡ଼ି ସକାଶେ ଅସ୍ପଷ୍ଟ ପ୍ରକାଶେ
ଗତିମାନ ଯାହା ଲାଗେ
ସେହି ଅନ୍ତରଙ୍ଗ ଭାବନା ତରଙ୍ଗ
ଶିହରାଏ ଅନୁରାଗେ ।
ପୁଣି ପ୍ରଣୟର ପଥେ ଏ' ପୟର
କିଛି ବାଟ ସିନା ଚଳେ
ସମ୍ଭ୍ରମେ ସଂସରି ନେତ୍ରୁ ଅପସରି
ଯାଉଥାଏ ତାହା ଛଳେ ।
ଏହିପରି ଶୀତ ଦେଇଛି ନିଶ୍ଚିତ
ଉଭୟେ ବିରହ ବ୍ୟଥା
ତେବେ ନିଦାରୁଣ ନୋହି ଏବେ ଶୁଣ
ମରମ ତଳର କଥା ।

