STORYMIRROR

Aparti Charan Sethi

Romance

3  

Aparti Charan Sethi

Romance

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
137


ସାତ ରଙ୍ଗ ଆଜି ଫିକା ପଡ଼ିଯାଏ

  ଗୋରୀ ତୋ ଗୋଲାପୀ ଓଠେ,

ଫଗୁଣର ଫଗୁବୋଳା ହସ ତୋର

   ମଳୟ ସାଥିରେ ଫୁଟେ।

ହେଲେ ଫଗୁଣଟା ଫୁଲେଇ ହେଉଛି

   ହୃଦୟ ମୋ କାହିଁ ଜଳେ,

ଅକୁହା ସେ ମୋର ପ୍ରୀତିର ବେଦନା

   ମୁହିଁ ନିତି ଝୁରି ମରେ।

ଚୋରା ଚ‌ଇତାଳି ଖେଳି ଲୁଚକାଳି

    ପ୍ରେମ ମୋ ବିଗାଡି ଦେଲା,

ଛ‌ଇଳି ମାନିନୀ ଭାରି ଅଭିମାନୀ

    ଯେବେ କଣେଇ ଚାହିଁଲା।

ଝୁମିଝୁମି‌ ଆସି ନୂପୁର ଶବଦେ

    ହୃଦୟ ମୋ ନେଲା କିଣି ,

ଭରା ଯ‌ଉବନ ଉଛୁଳା‌ ତରଙ୍ଗେ

     ନିଦ ମୋର ହଜିଲାଣି।

ଫଗୁଣେ ହସୁଛି ଶ୍ରାବଣେ ରୁଷୁଛି

     ବୈଶାଖ ରହିଛି ସାକ୍ଷୀ,

ତଥାପି ରୂପସୀ ଗୁମାନ କରୁଛି

     ହୃଦୟ ମୋ ଜଳ‌ଉଛି‌।

ଧୀର ସମୀରଣେ ତା' ବେଣୀ‌ ଅତର

     ଯେବେ ମୋ ଦେହେ ବାଜିଲା,

ସେହି ଦିନୁଁ ମୋର ହୃଦ ବଗିଚାରେ

     ପ୍ରୀତି ଗୋଲାପ ଫୁଟିଲା।

ମଖମଲୀ ଶେଯ ମ‌ଉଳିଛି ଆଜ

     ଗୋରୀ ତୋର ପ୍ରତୀକ୍ଷାରେ,

ଆ' ପ୍ରିୟା ମୋର କରନା ଉଛୁର

     ତୃଷ୍ଣା ମେଣ୍ଟୁ ଅବହେଳେ।

ନରମ‌ ପରଶେ ହରଷିତ‌ କର

     ଉଚ୍ଛ୍ଵାସ ଛାତି ପରାସ‌ ,

କୁନିକୁନି ପାଦେ ଥିରି ଥିରି ଆସି

     ମୋ କୋଳରେ ଥରେ ବସ।

ଚାତକ ପରାଏ‌ ଚାହିଁ ମୁଁ ବସିଛି

     ନିଜର କରିବାପାଇଁ,

ତୋର ମେଘମାଳା କେଶକୁ ହରଷେ

     ହସ୍ତେ ଦେବି ସାଉଁଳେଇ।

ଶିହରୀ ଉଠିବ‌ ତୋର ତନୁମନ‌ 

     ଛାତିରେ ଲାଗିବ ନିଆଁ,

ଫିସ୍‌ଫିସ୍‌ କଥା କିଛି ଦୀର୍ଘଶ୍ୱାସେ

     ବାଜିବ କାଉଁରୀ ଛୁଆଁ।

ହରିତ‌ ସୁଷମା ଲୋହିତ ବର୍ଣ୍ଣରେ

      ଦିଶିବୁ କେଡେ ସୁନ୍ଦର,

ପୁଳା‌ ପୁଳା‌ ପ୍ରେମ ରଙ୍ଗ ଲାଗିଯିବ

     ତନୁରେ ପ୍ରିୟା ତୋହର।

ଗୋଲାପି ରଙ୍ଗର ଓଠ ତୋର ସଖୀ

     ନିରତେ ଫିକା ପଡିବ,

ପ୍ରୀତି ଚୂମ୍ଵନରେ ସେହି ପ୍ରେମରଙ୍ଗ

     ଦାଗ ହୋଇ ଲାଗିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance