ତୁମେ ମୁଁ ଓ ଅନ୍ତରଙ୍ଗତା
ତୁମେ ମୁଁ ଓ ଅନ୍ତରଙ୍ଗତା


ଯେତେ ନିକଟତର ଶୀତ ସହ
ଶିଶିରର କାହାଣୀ,
ଶରତ ସହ ଖଣ୍ଡ ଖଣ୍ଡ ଭସା
ବାଦଲର ସ୍ୱପ୍ନ,
ସେତେକି ନିକଟତର ମୋ ପାଖେ,
ବିଗତ ତିଥିର କଳ୍ପନା ଓ
ବର୍ତ୍ତମାନର ବାସ୍ତବତା l
ତୁମେ, ଠିକ୍ ସେମିତି,
ଯେମିତି ମୋ ନିଦ୍ରାହୀନ
ରାତ୍ରୀର ପରିକଳ୍ପନା,
ଅବିଶ୍ୱସନୀୟ ବାସ୍ତବତାର ରୂପାନ୍ତର l
ସେ ଅନ୍ତରଙ୍ଗତାରେ ନଥାଏ
ପୂର୍ଣ୍ଣଛେଦ, ବିନ୍ଦୁ, ବିରାମ l
ବ୍ୟବଧାନ ରହିତ ଅତ୍ମୀୟତା,
ଯେଉଁଠି ଦଗ୍ଧ ହୋଇଯାଏ
ପ୍ରଭେଦ, ପାର୍ଥକ୍ୟ,
ତୁମେ' ଓ ମୁଁର' l
ପ୍ରତି ସମର୍ପଣରେ,
ଯେଉଁଠି ଜୀଇଁ ଉଠନ୍ତି ପଲକ ତଳେ ସାଇତା
ମଲା ସ୍ୱପ୍ନ ସବୁ,
ଯେମିତି ଜୀବନ୍ୟାସ ପାଇଯାଏ
ମଉଳା ଗୋଲାପ l
ଦଗ୍ଧ ଆକାଂକ୍ଷା ମୁଁ ହେଲେ,
ତୁମ ସାଥେ ସେସବୁର ପୁନର୍ଜନ୍ମ l
ମୁଁ ଏକ ଭ୍ରମ,
କିନ୍ତୁ ତୁମ ସହ ବାସ୍ତବ l
ତୁମେ ବାରିଦ,
ମୁଁ ବୁନ୍ଦା ବୁନ୍ଦା ଜଳବିନ୍ଦୁ l
ଅସମ୍ପୂର୍ଣ୍ଣ ଚନ୍ଦ୍ରମା ମୁଁ,
ତୁମ ସାଥେ ସମ୍ପୂର୍ଣ୍ଣ!
ପୂର୍ଣ୍ଣମୀର ପୂର୍ଣ୍ଣଇନ୍ଦୁ l