ଆଶା ଆଲୋକର
ଆଶା ଆଲୋକର
ଅନ୍ଧକାର କୋଳରେ କେବେ ଉଆଁସ ଆସେ ତ,
କେବେ ପୂର୍ଣ୍ଣମୀ ଚନ୍ଦ୍ରର ସ୍ନିଗ୍ଧ ଜ୍ୟୋସ୍ନା
ବିଞ୍ଚି ହୋଇପଡେ ଧରା ବକ୍ଷରେ l
ଅନ୍ଧକାର ଅସ୍ଥାୟୀ କିନ୍ତୁ ସୂର୍ଯ୍ୟ ଚିରସ୍ଥାୟୀ l
ହେଲେ,
ତା'ର ଆଶା ନା ପୂର୍ଣ୍ଣମୀର ଶୀତଳ ଜୋଛନାରେ,
ନା ସକାଳର ଉଷୁମ ଆଲୋକରେ l
ସ୍ୱପ୍ନ ତାର କୁହୁଳି ଉଠେ ଚୁଲି ଧୂଆଁରୁ ଉଠୁଥିବା
ତତଲା ଧାସରେ,
ଗବ ଗବ ହୋଇ ଫୁଟୁଥିବା ପେଜ
ଆଉ "ମୁଠାଏ ଭାତରେ"l
ତୃପ୍ତି ତା'ର ଲୁଣ ଲଗା ପଖାଳରେ କଂସାରେ l
ଜୀବନର ଗଭୀରତା କେତେ
ସେ କେବେ ପରଖିବାକୁ ପ୍ରୟାସ କରିନି l
ପ୍ରୟାସ କରିଛି ତ କାରଖାନାର ଚରଖାରେ
ଫେସି ନିଜ ବାହୁର ବଳ,
ଚିପୁଡ଼ି ଦେଇ ସବୁତକ ନିଃଶ୍ୱାସ,
ସ୍ବେଦାକ୍ତ ଶରୀରର କ୍ଳାନ୍ତି,
ଆଉ ଭୋକିଲା ଉଦର ଜ୍ୱାଳା ମେଣ୍ଟାଇବାକୁ l
ତା ହାଡୁଆ କାନ୍ଧରେ ଲଦା ଚାରି ଚାରୋଟି ଜୀବନ ମୁହଁରେ
ଅନ୍ତତଃ ଶୁଖିଲା ରୁଟି ଖଣ୍ଡେ ଦେବାକୁ,
ଯେମିତି କ୍ଷୁଦାର୍ଥ ଶାବକ ଥଣ୍ଟରେ ବିହଙ୍ଗ
ଭରିଦିଏ ଦାନା l
ଭିଡ଼ ମଧ୍ୟରେ ଆତୁର ଜୀବନ ଖୋଜେ ତ କେବଳ
ବଞ୍ଚିବାରା ରାହା l
ନା ଛାଇ ରେ ମୋହ,
ନା ଶ୍ରାବଣକୁ ଆଶା l
ନିଦାଘ ତାତିରେ ଜଳି ବି ସେ କରେ କେବଳ
କର୍ମକୁ ଭରସା l
ଆଜି ନିସ୍ତେଜ ଆଖି
ଚାହିଁ ରହିଛି ମୁକ୍ତ ଆକାଶକୁ,
ଫଟା ଚାଳରେ ଉଦିତ ଦିବାକରକୁ ଦେଖି ,
ଆତୁରେ କରେ ନିବେଦନ l
ତୁମେ ଅଟକି ଯାନ୍ତନି ଚିର କାଳ ପାଇଁ,
ଏ ନିଃଶବ୍ଦତା, ଏ ନୀରବ ପୃଥିବୀ ଚେଇଁ ଉଠନ୍ତା ପୁଣି,
ତୁମେ ଅଟକି ଯାନ୍ତନି,
"ଦୂରୀଭୂତ ହୋଇ ଯାଆନ୍ତା
ଏ ମହାମାରୀ କବଳିତ ଅନ୍ଧକାର" l
ଆଜି କେବଳ ତା'ର ଆଲୋକରେ ଆଶା l
ମେଞ୍ଚାଏ କଳା ବୋଳି ହୁଅନ୍ତା ପଛେ ମସ୍ତକରେ
କାରଖାନାର ଚରଖାରୁ,
ହେଲେ, ଏ ରାତି ପାହିଯାଆନ୍ତା,
ପାଦ ପୁଣି ଧାଇଁ ଯାଆନ୍ତା,
କର୍ମର ପକ୍କା ସଡ଼କରେ l
ପେଟର ଭୋକ ମରିଯାନ୍ତା,
ଜୀବନ ପୁଣି ଜୀଇଁ ଉଠାନ୍ତା l