ବାକି ଅଛି ଜୀବନ
ବାକି ଅଛି ଜୀବନ
କାହିଁକି ଅନ୍ଧକାର ଭଲ ଲାଗେ,
ନୀରବତା ଆପଣାର ଲାଗେ ଜାଣେନା l
ଶବ୍ଦ ସବୁ ଯେତେବେଳେ ଆତ୍ମୀୟର ହୃଦୟ
ନିକଟରେ ବ୍ୟର୍ଥ ପାଲଟି ଯାଏ,
ସେତେବେଳେ ଆପଣାର ଲାଗେ ତ
କେବଳ ନୀରବତା l
ଶୂନ୍ୟତାର ପ୍ରତିଧ୍ୱନିରେ
ଅନୁଭୂତ ହୁଏ
ଏକାନ୍ତରତାର ଆଲିଙ୍ଗନ l
ହୃଦୟର ଧକ୍ ଧକ୍ ଆବାଜ ଖୁବ
ଜୋରରେ ଶୁଭେ ଯେବେ,
ଅନୁଭବ ହୁଏ ଏବେ ବି ବାକି ଅଛି
ଜୀବନ l
ପ୍ରତାରିତ ନିଷ୍ପେସିତ ଅତୀତର
ଡେଣା କାଟି,
ଇଚ୍ଛା ହୁଏ ବିଗତ କିଛି ମୁହୂର୍ତ୍ତକୁ
ପଙ୍ଗୁ କରିଦେବାକୁ l
ବର୍ତ୍ତମାନ ବକ୍ଷରେ ସଂଜୀବନୀ
ଛିଞ୍ଚି ଇଚ୍ଛା ହୁଏ ପୁଣି
ଜୀଇଁବାକୁ l
ଆଇନା ଆଗରେ ଅଡୁଆ କେଶ ସଜାଡୁ
ହଠାତ୍ ତେଜି ଉଠେ
ଅତୀତର ପାଉଁଶ ତଳେ ଦିକ୍ ଦିକ୍
ହୋଇ ଜଳୁଥିବା ଆତ୍ମବିଶ୍ବାସର ଲାଲ ଶିଖା l
ତେଜି ଉଠେ ଜୀବନକୁ ସ୍ପର୍ଶ
କରିବାର ଅଜବ ଏକ ଅଭିପ୍ସା l
ସେତେବେଳେ ସମାଧିସ୍ଥ ଅତୀତ ତଳୁ
ଜୀବନ୍ୟାସ ପାଏ ବର୍ତ୍ତମାନ,
ଅତି ସ୍ପଷ୍ଟ ଅନୁଭୂତ ହୁଏ
ହଁ ଏବେବି ବାକି ଅଛି ଜୀବନ l
