ମୋ ଭାଷା ମୋ ପରିଚୟ
ମୋ ଭାଷା ମୋ ପରିଚୟ


ଶତାବ୍ଦୀ ଶତାବ୍ଦୀର ସେ ସଙ୍ଘର୍ଷ
ଆଜି କେବଳ ଏକ ଇତିହାସ
ଓ ଏକ ବଳିଷ୍ଠ ଅତୀତ ପୃଷ୍ଠାରେ
ଧୂଳିଧୂସରିତ ଫର୍ଦ୍ଧ l
ବେଳେ ବେଳେ କାନ୍ଦି ଉଠନ୍ତି
ଅତୀତର କଥାକଥିତ ଚରିତ୍ରମାନେ
ବୁହାଇ ଦେଇଥିବା କେତେ ଶୋଣିତର ଦ୍ୱାହି ଦେଇ l
ରୁଦ୍ଧ କଣ୍ଠରେ କରନ୍ତି ଆର୍ତ୍ତନାଦ,
ମାଗନ୍ତି ପ୍ରତ୍ୟୁତ୍ତର,
ଅତୀତର ଲୁହ ଲହୁ ଭିଜା ମାଟି ଉପରେ
ଗଢି ଉଠି ଥିବା
ବର୍ତ୍ତମାନର ଏ ପୀଢ଼ିମାନଙ୍କୁ l
ହାୟ,
ଏ ସଭ୍ୟତାର ଫଟା କାନ୍ଥ ତଳେ
ଦଣ୍ଡାୟମାନ ଏ ଜାତି,
ନିତି ନିତି ଢଳି ପଡୁଛି
ଆଧୁନିକତାର ତୋଫାନରେ l
ଭୁଷୁଡ଼ି ପଡ଼ିବାକୁ ଆଉ
କେତେ ଯେ ବାକି?
କିଏ ବା ଦେବ ଏ ଉତ୍ତର!
କିଏ ଦେବ ବହି ଯାଇଥିବା ଆମ ଶୋଣିତର ପ୍ରତିଦାନ!
ଏ ଆଶଙ୍କା,
ଏ ଭୟ,
ବିଚଳିତ କରେ,
କେବଳ ସେଇମାନଙ୍କୁ,
ଯିଏ ଜାବୁଡି ଧରିଛନ୍ତି ଅତୀତକୁ l
ବୋଳି ଛନ୍ତି ସେ ମାଟିକୁ
ସ୍ୱାଭିମାନର ମୁକୁଟ
କରି ମସ୍ତକରେ l
ହେଲେ,
ତୁମେ ବୁଝିପାରିବନି
ଏ ମହତ୍ତ୍ୱକୁ,
ହେ,
ବିଗତ ଅତୀତର ଦାୟାଦ ମାନେ l
ତୁମେ ହଜି ଚାଲିଛ,
ନିଜକୁ ହଜେଇ ଚାଲିଛ,
ଏ ବିସ୍ତିର୍ଣ୍ଣ ମରୁବାଲିର
ମରୀଚିକା ଭିତରେ,
ନିଜକୁ ଖୋଜିବାକୁ ଯାଇ l
ଦୂରୁ ଝଟକୁ ଥିବା ମୃଗ ତୃଷ୍ଣା ପଛରେ
ଧାଇଁ ଧାଇଁ l
ଯେବେ ଉନ୍ମୁକ୍ତ ହେବ ତୁମ ପଲକ,
ଫେରିବାର ପ୍ରୟାସ କରି ମଧ୍ୟ
ହେବ ତୁମେ ବିଫଳ l
ଆଉ ସେତେବେଳେ ବୋଧେ
ମୃତ୍ୟୁ ଥିବ କେବଳ ତୁମ ସମ୍ମୁଖରେ l
"ହଁ" ମୃତ୍ୟୁ,
ମୃତ୍ୟୁ ତୁମ ପରିଚୟ,
ଜାତି,
ଆଉ ଏ
ନବ ନିର୍ମିତ ସଭ୍ୟତାର l
ମୋ ଭାଷା ମୋ ପରିଚୟ,
ଆଜି କେବଳ ଏକ
ଜାତିର ଛାତି ତଳେ ଗୁଞ୍ଜରିତ
ମିଥ୍ୟା ଅହମିକା ଓ
ବୃଥା ଆସ୍ଫାଳନ l