STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ମୌସୁମୀ ଆସିବ ବୋଲି

ମୌସୁମୀ ଆସିବ ବୋଲି

1 min
16


ମୌସୁମୀ ଆସିବ ବୋଲି...

ଚାତକ ପରି ଚାହିଁ ରହିଛି ଧରିତ୍ରୀ 

ଆକାଶ ବି ବାଦଲ୍ ମାନଙ୍କୁ ସାଜିଲ୍ କରି 

ଦିଆ କରାଉଛି ତାର ଜୟ ଧ୍ଵନି 

ସ୍ଵାଗତ କରିବାକୁ ଅତିଥି ରୂପରେ 

ସତୃଷ୍ଣ ନୟନରେ ପ୍ରତୀକ୍ଷା କରିଛନ୍ତି 

ଚାଷୀକୁଳ ତଥା ଆବାଳବୃଦ୍ଧବନିତା 

ନିଦାଘର ଉତ୍ତାପରେ ଜଳି ଜଳି 

କିନ୍ତୁ ମୌସୁମୀ କାହିଁ...?

ବହୁଛି ସେମିତି ନୁଖୁରା ମାଟିରୁ ଧୂଳି 

ଝାଞ୍ଜି ଖରା ପ୍ରବଳ ଗୁଳୁଗୁଳି 

ଶାନ୍ତି ଟିକିଏ ଖୋଜିଲେ ମିଳୁ ନାହିଁ 

କେତେ ଆଶା ଥିଲା ଆଦ୍ୟ ଆଷାଢ଼ରେ 

ରଜ ଦୋଳି ଝୁଲି ଝୁଲି ଆସିବ ମୌସୁମୀ 

ବର୍ଷିବ ବର୍ଷା ମୂଷଳଧାରାରେ ତୁହାକୁ ତୁହା 

ବତୁରି ଯିବ ବିଲ ବାଡ଼ି ପଡ଼ିଆ 

ପୁରି ଯିବ ଖାଲ ଖମା ପୋଖରୀ ଗଡ଼ିଆ 

ଗରମ କମିବ ଶୀତଳ ହେବ ବାୟୁମଣ୍ଡଳ 

ଖାଲି ନୈରାଶ୍ୟର ଚିତ୍କାର।

ମୌସୁମୀ ଆସିବ ବୋଲି...

କଦମ୍ବ ଗଛରେ କଅଁଳୁ ଥିଲା କଢି 

ଫୁଟି ମହ ମହ ବାସ ଛୁଟାଇବ 

ଭିଜା ଭିଜା ପବନର ବର୍ଷା ଛିଟାରେ 

ମାତ୍ର ପ୍ରବଳ ତାତିରେ ଶୁଖି ଯାଏ ଝଡ଼ି 

ବେଙ୍ଗ ବେଙ୍ଗୁଲୀ ରଡିବେ ଅତି ଆନନ୍ଦରେ 

ଇନ୍ଦ୍ରଧନୁ ଦେଖି ଗାଈଆଳ ଟୋକା 

ଅବୁଝା ବିଜ୍ଞାନକୁ ନବୁଝି ହେବ ଖୁସି 

ଧାନ ଗଜା କରି ଚାଷୀ ପକାଇବ ତଳି 

ସବୁ ଆଶା ଯାଏ ମଉଳି।

ମୌସୁମୀ ଆସିବ ବୋଲି....

ଆଶା ଭରସା ବିଶ୍ଵାସ ଲାଗେ ସବୁ 

ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି 

ଆଜି କାଲିର ସିଆଣିଆଁ ଲୋକ ପରି 

ସମୟାନୁବର୍ତ୍ତୀ ନ ହୋଇ ଦିଏ ଧୋକା 

ସମ୍ଭାବନାର ବିଡ଼ମ୍ବନାରେ ପ୍ରକୃତି ବିଗିଡ଼େ 

ପ୍ରତିକୂଳ ଏଡ଼ି ଆସିବ କେବେ ଅନୁକୂଳ 

ଜୀବ ଜଗତର ହେବ ମଙ୍ଗଳ 

ପ୍ରତୀକ୍ଷାରେ ସମସ୍ତେ ହୁଅନ୍ତି ବ୍ୟାକୁଳ 

ତଥାପି ମନରେ ଆଶା ଅଛି ଅନେକ 

ମୌସୁମୀ ଆସିବ ବୋଲି...।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy