STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଯେବେ ଲେଖୁଛି ମୁଁ

ଯେବେ ଲେଖୁଛି ମୁଁ

1 min
202


ଯେବେ ଲେଖୁଛି ମୁଁ ବସି ତୁମ ନାଆଁ

ମୋର କଲମ ବାଆଁରା ହେଉଛି

ଲେଉଟି ଦେଖୁଛି ଯେବେ ଲେଖି ସାରି

ସଜ ଗୋଲାପ ପରିକା ଦିଶୁଛି।।


ପ୍ରତି ପାଖୁଡ଼ା ରେ ଲେଖି ରଖିଛି ମୁଁ

ତୁମ ଅଧରର ରକ୍ତ ରଙ୍ଗକୁ

ତୋଳି ତୁଳିକା କୁ ଅଟକେଇଛି

ମୃଦୁ ପବନର ମନ୍ଦ ଛନ୍ଦ କୁ

ମଧୁ ଝରା ସେ ମହୁଆ ମହକ ର

ଚିତ୍ର କେମିତି ଆଙ୍କିବି ଭାବୁଛି।

ମୋ କଲମ ବାଆଁରା ହେଉଛି।।


ରଙ୍ଗ ଛଟାରୁ ଛିଟିକି ପଡ଼ିଛି

ଟିକି ଟିକି ଅଣୁ କଣ ଛିଟିକା

ଅଟକି ଯାଇଛି କି ଲାଲି ଅବିର

ପବନ ପଟଳେ ପାଟ ପରିକା

ପ୍ରତୀତ ହେଉଛି ଯେବେ ତୁଳିକା ମୋ

ତୁମ ଚିବୁକ ର ଚିତ୍ର ଆଁକୁଛି।

ମୋ କଲମ ବାଆଁରା ହେଉଛି।।


ଅଳ୍ପ ଅବନତ ମୁଖ ମଣ୍ଡଳରୁ

ଚୂର୍ଣ୍ଣ କୁନ୍ତଳକୁ ଦେଇ ଆଡେ଼ଇ

କାନ ପାଖେ ଅଟକେଇ ରଖିବାକୁ

ଯେବେ ଦେଉଥିଲି ହାତ ବଢ଼େଇ

ଟିକେ ହସି ଦେଇ ତୁମେ ଘୁଞ୍ଚିଗଲ

ପ୍ରୀତି ପ୍ରତୀକ୍ଷାର ତୃଷା ପିଉଛି

ମୋ କଲମ ବାଆଁରା ହେଉଛି।।


ଘୁଞ୍ଚି ଆସନ୍ତ କି ହାତ ପାହାନ୍ତା କୁ

ବିଶି ଆଙ୍ଗୁଳିରେ ଛୁଇଁ ଦେଖନ୍ତି

ତୁମେ ଲାଜେଇ ଯାଅନ୍ତ ଲାଜକୁଳୀ

ମୁଁ ଅଲାଜୁକ ପରି ଚାହାନ୍ତି

ତୁମ ଗରମ ଗରମ ନିଃଶ୍ୱାସ ର

ନିଶା ମରମକୁ ମୋର ଘାରୁଛି

ମୋ କଲମ ବାଆଁରା ହେଉଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance