ସ୍ୱପ୍ନ ସୁନ୍ଦରୀ
ସ୍ୱପ୍ନ ସୁନ୍ଦରୀ
କିଏ ଚୋରିକଲା ଆଶାର କିରଣ
କାକର ବିନ୍ଦୁରୁ ମୋତି
କିଏ ଆଙ୍କିଦେଲା ମାଟିର ଦେହରେ
ଜହ୍ନ ଆଲୁଅର ଝୋଟି I
ଆଖିରେ ଲେପିଛି ସପନର ରଙ୍ଗ
ଓଠରେ ତୁମରି ନାମ
ତୁମ କଣ୍ଠସ୍ୱର କାନରେ ବାଜିଲେ
ଛାତିତଳେ ଭରେ ପ୍ରେମ I
ସପନରେ ତୁମ ଆସ ନିତି ନିତି
ଆଖି ତଳେ ଯାଅ ବସି
ଅଶାନ୍ତ ପରାଣ ଶାନ୍ତ ହୋଇଯାଏ
ତୁମେ ଦେଲେ ଟିକେ ହସି I
ସପନରେ ତୁମେ ସପନ ସୁନ୍ଦରୀ
ଜାଗ୍ରତେ ନୀଳପରୀ
ତୁମେ ସଖୀ ମୋର ଅନ୍ଧାର ବାଟରେ
ଆଲୋକ ଦେଇଛ ଭରି I
ସପନରେ ତୁମେ ଆସିଗଲେ ସଖୀ
ସପନେ ଯାଏ ମୁଁ ଶୋଇ
ତୁମେ ଟିକେ ସ୍ୱପ୍ନ ଦେଖିବା ଆଗରୁ
ରାତି ଯାଏ ପାହି ପାହି I
ତୁମ ପାଇଁ ସଖୀ ରଙ୍ଗ ମାଖେ ଆଖି
ଦିନରେ ସପନ ଦେଖେ
ତୁମ ଘନ କେଶ ଅନ୍ଧାର ରାତିରେ
ପ୍ରେମକାବ୍ୟଟିଏ ଲେଖେ I