ପ୍ରେମର କୁହୁକ
ପ୍ରେମର କୁହୁକ
ପ୍ରେମର କୁହୁକ
ମଧୁର ଖୁବ୍ ମଧୁର ।
ମନ ଆଇନାର ହସ
ରଙ୍ଗିଯାଏ କେତେ ଆଶା
ଛୁଇଁଯାଏ ତନୁ ମନ
ତୁମ ଲାସ୍ୟମୟୀ ଓଠର
ହାସ୍ୟମୟୀ ଭାଷା ।
ଭେଦିଯାଏ ମୋ ହୃଦକୁ
ଆକୁଳେ ଚଞ୍ଚଳ
ମନ ହୁଏ ପ୍ରୀତିରସା ।
ପରଶରେ ତୁମ
ଅଛି ଯେ କୁହୁକ
ବାସକୁସୁମେ ବି ନାହିଁ,
ନୟନେ ତୁମର
ଯେଉଁ ଆକର୍ଷଣ
ଚୁମ୍ବକେ ମିଳିବ ନାହିଁ ।
ଗୋ ରାଧେ ...
କୋମଳ ବଦନ
ତୁଲ୍ୟ କି ହୋଇବ
ପବିତ୍ର ହୃଦୟ ସଙ୍ଗେ,
ରାଧାଭାଵନାର
ମୂଲ୍ୟ କି ବୁଝିବ
ଭିଜିଥିଲେ ମୋହ ରଙ୍ଗେ ।
ଶରଦଚାନ୍ଦିନୀ
ଚଇତି ପବନ
ସ୍ଵର୍ଗ ପାରିଜାତ
କେଶର ଚନ୍ଦନ
ଫିକା ଲାଗେ ଗୋ ରାଇ
ତୁମ ବିନା ଜୀବନର
ମାଧୁରୀ କଳ୍ପନା ଯେ
ଖଜୁରୀ ଗଛ ଛାଇ ।
ଏ ଦୋଳ ଏ ଫଗୁଣ
ଏ ରଙ୍ଗ ଉତ୍ସବ
ଏ ମୃଦୁ ମଳୟ
ଏ ବସନ୍ତ ଉତ୍ସବ
ସବୁ ତୁମ ଉପହାର
ଘେନ ଗୋ ରାଧିକେ
କୋମଳ ଭାବନା
ରଖିବ ସାଇତି
ମରିବାର ଯୁଗାନ୍ତର ।