ସନ୍ଥ ଚନ୍ଦ୍ରମଣି
ସନ୍ଥ ଚନ୍ଦ୍ରମଣି
ସଂସ୍କୃତି ସମ୍ପର୍ଣ୍ଣ ବଉଦ ଜିଲ୍ଲାର
ଫିରିଙ୍ଗିଆ ଗ୍ରାମ ଠାରେ
କୁଆଁ କୁଆଁ ରାବ ମୁଖରିତ ହେଲା
ଭୁବନ ଦ୍ଵିଜଙ୍କ ଘରେ ।
ଭୁବନ ଦ୍ଵିଜ ଯେ ଥିଲେ ଯଜୁର୍ବେଦୀ
ଦରିଦ୍ର ବ୍ରାହ୍ମଣ ଜଣେ
ପିତାମହ ତାଙ୍କ ଦୁର୍ଲ୍ଲଭ ଦ୍ଵିଜ ଯେ
ଥିଲେ ଅଭାବ କଷଣେ ।
ବ୍ରତ ବିଭାଘର ପୂଜା କର୍ମକାଣ୍ଡ
ତାଙ୍କର ଜୀବିକା ଥିଲା
ଭିକ୍ଷା ବୃତ୍ତି ବଳେ ପରିବାର ଚଳେ
ଜେମାଦେଇ ପୁରେ ଭଲା ।
ଘୁମୁସର ରାଜ୍ୟେ ପଡିଲା ଦୁର୍ଭିକ୍ଷ
ଅତି ଭୟାବହ ହୋଇ
ଚନ୍ଦ୍ରମଣି ପିତା ଅଭାବ କଷଣେ
ଶରୀର ଛାଡିଲେ ତହିଁ ।
ଅବୋଧ ବାଳକ ଚନ୍ଦ୍ରମଣି ସାଥେ
ଜନନୀ କୋମଳ ମତି
ସ୍ୱର୍ଣ୍ଣପୁର ରାଜ୍ୟେ ବାଗବର ଗ୍ରାମେ
ପିତ୍ରାଳୟେ ଉପସ୍ଥିତି ।
ପୂର୍ବ ଶିକ୍ଷା ବଳେ ମାତୁଲାଳୟରେ
ଆସ୍ତେ ଆସ୍ତେ ଚନ୍ଦ୍ରମଣି
ଗୀତା ଭାଗବତ ପୁରାଣ ଶାସ୍ତ୍ରାଦି
ପଠନ କରନ୍ତି ପୁଣି ।
ପୂଜା ପଦ୍ଧତି ଓ କର୍ମକାଣ୍ଡ ମଧ୍ୟ
ଶିକ୍ଷା କରୁଥିଲେ ତହିଁ
ବାର ବର୍ଷ ଯେବେ ହୋଇଲା ପୁରଣ
ମାତୃହରା ଗଲେ ହୋଇ ।
ନିଃସହାୟ ଭାବେ ମାମୁଁ ଘରେ ରହି
ଦିନ କାଟି ନ ପାରିଲେ
ଏମନ୍ତ ସମୟେ ସାଧୁ ଜଣେ ଆସି
ତହିଁ ଉପଗତ ହେଲେ ।
ସାଧୁଙ୍କ ବଚନେ ଯିବେ ବୃନ୍ଦାବନେ
ମନସ୍ତ କରିଲେ ପୁଣ
ବୃନ୍ଦାବନ ଯାଇ ବୈଷ୍ଣବ ଧର୍ମରେ
ଦୀକ୍ଷିତ ହୋଇଲେ ଜାଣ ।
ବ୍ରଜବନ୍ଧୁ ଦାସ ମନ୍ତ୍ର ଦେଲେ ଯେଣୁ
ଚନ୍ଦ୍ରମଣି ହର୍ଷ ହେଲେ
ସୁଧାସାର ମଧ୍ୟେ ବ୍ରଜଦାସ କହି
ଚନ୍ଦ୍ରମଣି ଲେଖିଗଲେ ।
ତହୁଁ ଚନ୍ଦ୍ରମଣି ଗୁରୁଙ୍କ ନିର୍ଦେଶେ
ପୁରୁଷୋତ୍ତମେ ଆସିଲେ
ସେ ଲାଗି କେଜାଣି ଜଗନ୍ନାଥ ଆସି
ଗୋପାଳି ଗ୍ରାମେ ରହିଲେ ।
ପୁରୀ ଧାମେ ଯେବେ ରହିଲେ ସାଧକ
ବଦଳିଲା ଚିନ୍ତାଧାରା
ଶୂନ୍ୟ ବ୍ରହ୍ମବାଦ ପିଣ୍ଡ ଓ ବ୍ରହ୍ମାଣ୍ଡ
ନିରାକାର ତତ୍ୱ ସାରା ।
ଏମନ୍ତ ସମୟେ ମାମୁଁଘର ଗ୍ରାମେ
ବାଗବର ଠାରେ ମନ
ତ୍ୱରିତେ ଫେରିଣ ବାଗବର ମଠେ
ସାଧନାରେ ହେଲେ ମଗ୍ନ ।
ଜୀବନ କାଳରେ ଅଧିକାଂଶ ଗ୍ରନ୍ଥ
ସେହିଠାରେ ଛନ୍ତି ଲେଖି
ନାରଦ ଗୀତା ଓ କୃଷ୍ଣ ସୁଧାମୃତେ
ବିଭୁକୃପା ଥିଲେ ଚାଖି ।
କିଛି କାଳ ଅନ୍ତେ ଉଲୁଣ୍ଡା ଅଞ୍ଚଳେ
ବାରିଗାଁ ମଠେ ପ୍ରେବେ
ଶ
ଯହିଁ ଜଗନ୍ନାଥ ତହିଁ କୁ ଯାଆନ୍ତି
ସନ୍ଥ ଚନ୍ଦ୍ରମଣି ଦାସ ।
ଶିଷ୍ୟଙ୍କ ଗହଣେ ସାଧନାର ତୀରେ
ମଗ୍ନ ମନୋରଥ ସାଧୁ
ସନ୍ଥ ଚନ୍ଦ୍ରମଣି ସ୍ମୃତି ସମାରୋହ
ଏବେ ବି ଝରୁଛି ମହୁ ।
ତହିଁ କିଛିକାଳ ବିତି ଗଲା ଯେଣୁ
ଆସନ୍ତି ଗୋପାଳି ଗ୍ରାମେ
ପାତାଳି ତ୍ରିକୁଟେ ସାଧନା କରନ୍ତି
ପ୍ରବେଶିଣ ମନ ଜାନେ ।
ଅମୃତମୟ ସେ ସୁଧାସାର ଗୀତା
ଏହିଠାରେ ଲେଖିଗଲେ
ସ୍ୱୟଂ ଜଗନ୍ନାଥ ଉନେଶ୍ୱତ ବର୍ଷ
ଏହିଠାରେ ରହିଥିଲେ ।
ସାଧନାରେ ସିଦ୍ଧ ଯୋଗୀ ଚନ୍ଦ୍ରମଣି
ବାଘପାଲି ଗ୍ରାମେ ରହି
ତ୍ରିକୁଟ ପର୍ବତେ ସାଧନା କରନ୍ତି
ଶିଷ୍ୟଙ୍କୁ ସଙ୍ଗତେ ନେଇ ।
କାୟା ବଦଳାଇ ମୃତକ ଶରୀରେ
ନିଜେ କରନ୍ତି ପ୍ରେବେଶ
ଦେଖିଛନ୍ତି ଶିଷ୍ୟ କହେ ଇତିହାସ
ସାମାନ୍ୟ ନୁହେଁ ଅବଶ୍ୟ ।
ପୁର୍ଣ୍ଣ ଜଳାଶୟେ ନିଜସ୍ୱ ପାଦରେ
ଚାଲି ଯାଆନ୍ତି ସେ ସନ୍ଥ
ଅମୃତ ସନ୍ଧାନୀ ଅଲୌକିକ ଲୀଳା
ଦେଖିଛନ୍ତି ବହୁ ଭକ୍ତ ।
ମନ ଜାନେ ଯାଇ ତ୍ରିକୁଟ ଶୀର୍ଷରେ
ନିତି ଯୋଗଧ୍ୟାନ କରି
ପୁନଶ୍ଚ ମଠକୁ ଫେରି ଆସନ୍ତି ସେ
ମହାଜ୍ଞାନୀ ତପଚାରୀ ।
ପୁନଶ୍ଚ ଏଠାରେ ନିଜସ୍ୱ ଇଚ୍ଛାରେ
ହୋଇଛନ୍ତି ସମାଧିସ୍ଥ
ଦେହତ୍ୟାଗ ପୂର୍ବେ ନିଜର ଶିଷ୍ୟଙ୍କୁ
ଏହା କହିଛନ୍ତି ସନ୍ଥ ।
ଅନ୍ତିମ ସମୟ ଆସିଗଲେ ମୋର
ସୂଚନା ଦେବି ଯେ ମୁହିଁ
ଯଥା ରୀତିରେ ମୋ ସମାଧି କରିଣ
ମୋତେ ଦେବ ଘୋଡ଼ିଆଇ ।
ସମାଧିସ୍ଥ ହେଲେ ସନ୍ଥ ଶିରୋମଣି
ବାଘପାଲି ହେଲା ଧନ୍ୟ
ସେ ଦିନୁ ସେଠାରେ ବାବାଙ୍କ ମହିମା
କରୁଛନ୍ତି ଗୁଣଗାନ ।
ସେ ପବିତ୍ର ମାଟି ବାଘପାଲି ଗ୍ରାମ
ଧନ୍ୟ ହୋଇଲା ସେ ଦିନ
ଦୂରରୁ ଥାଇ ମୁଁ ପ୍ରଣାମ ଜଣାଏ
ସେ ପୁଣ୍ୟ ମାଟିକୁ ପୁଣ ।
ଯେଉଁଠାରେ ମୋର କାଳିଆ ଠାକୁର
ରହିବାକୁ ଇଚ୍ଛାକରେ
ସାଧୁ ଚନ୍ଦ୍ରମଣି ସମାଧି ମନ୍ଦିର
ଧନ୍ୟ ହୋଇଗଲା ବାରେ ।
ସର୍ବଗୁଣେ ଯିଏ ଥିଲେ ପରିବ୍ୟାପ୍ତ
ତାଙ୍କୁ ମୁଁ ବର୍ଣ୍ଣିବି କିଶ
ସର୍ବଧର୍ମ ପ୍ରତି ଯାର ବଇରାଗ
ସେ ନୁହେଁ କ୍ଷୁଦ୍ର ମଣିଷ ।
ସନ୍ଥ ଶିରୋମଣି କବି ଚନ୍ଦ୍ରମଣି
ଦୟା ରଖିଥିବ ବାରେ
ହୀନ ଅକୀଞ୍ଚନ କରୁଛି ବର୍ଣ୍ଣନା
ଯାହା ଆସିଲା ମନରେ ।