ସଂକ୍ଷିପ୍ତ ରାମାୟଣ (ସୁନ୍ଦରା କାଣ୍
ସଂକ୍ଷିପ୍ତ ରାମାୟଣ (ସୁନ୍ଦରା କାଣ୍
ସୁଗ୍ରୀବର ଯହୁଁ ବାନର ସେନାଙ୍କୁ
ଶ୍ରୀରାମେ ସମର୍ପି ଦେଲେ
ସର୍ବ ସୈନ୍ୟଦଳ ପ୍ରସ୍ତୁତ ହୋଇଣ
ରାମ ଆଜ୍ଞାକୁ ପାଳିଲେ ।
ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ
ସୈନ୍ୟ ଚାରିଭାଗ କଲେ
ହନୁ ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ
ତୁମ୍ଭେ ଯାଅହେ ବୋଇଲେ ।
ପୂର୍ବ ଦିଗେ ଗଲେ ସୁଗ୍ରୀବ ବିନତା
ପଶ୍ଚିମେ ଦଳ ସୁଷେଣ
ଉତ୍ତର ଦିଗକୁ ସତବଳୀ ଗଲେ
ହନୁ ଅଙ୍ଗଦ ଦକ୍ଷିଣ ।
ସୁଗ୍ରୀବ କହନ୍ତି ଆହେ ବାୟୁପୁତ୍ର
ତୁମ୍ଭେ ତ ଅସାଧାରଣ
ତୁମ୍ଭ ବୀରପଣେ ହେବ ଏହି କାର୍ଯ୍ୟ
ଯାଅ ବେଗ ତତକ୍ଷଣ ।
ଦକ୍ଷିଣ ହସ୍ତରୁ ମୁଦ୍ରିକାକୁ କାଢି
ହନୁଙ୍କୁ ଦେଲେ ଶ୍ରୀରାମ
ସୀତାଙ୍କୁ ଭେଟିଲେ ଦେବ ଏ ମୁଦ୍ରିକା
ଏହା ପରିଚୟ ଆମ ।
ସର୍ବ ସୈନ୍ୟଗଣ ଗଲେ ଯେଝାଦିଗେ
ଦେବୀଙ୍କ ସନ୍ଧାନ ପାଇଁ
ହନୁ ଅଙ୍ଗଦଯେ ବିନ୍ଧ୍ୟ ପର୍ବତରେ
ଗୁମ୍ଫାମାନ ଖୋଜୁଥାଇ ।
ବାଟରେ ଭେଟିଲେ ନାଗମାତାଙ୍କୁ ଯେ
ତାଙ୍କ ପଥ ଓଗାଳନ୍ତେ
ଅତିଶୀଘ୍ର ହନୁ କ୍ଷୁଦ୍ରକାୟ ରୂପ
ଧରିଲେ ଯିବା ପଥରେ ।
ସୁରସା ପାଟିରେ ପ୍ରବେଶ ହୋଇଣ
ଚତୁରେ ବାହାରି ଆସି
ହନୁର ବୁଦ୍ଧିରେ ପ୍ରୀତହୋଇ ସେହି
କହଇ ଅତି ପ୍ରଶଂସି ।
ଯାଅରେ ବାନର ତୋର ଲକ୍ଷ୍ୟ ପଥେ
କାର୍ଯ୍ୟ ସିଦ୍ଧି ହେଉ ତୋର
ଆଶୀର୍ବାଦ ଦେଇ କହେ ନାଗମାତା
ବୁଦ୍ଧିମନ୍ତ ହନୁଠାର ।
ସମୁଦ୍ର ଉପରେ ଉଡି ଲଙ୍କାଗଡ଼
ଅଭିମୁଖେ ହନୁମାନ
ଏକଇ ରାକ୍ଷସୀ ହନୁର ଛାୟାକୁ
ଧରିଣ ଘଟାଏ ବିଘ୍ନ ।
ତହୁଁ ହନୁମାନ ରାକ୍ଷସୀ ଉଦରେ
ପରବେଶ କରିଗଲେ
ଉଦର ବିଦୀର୍ଣ୍ଣ କରି ହନୁମାନ
ଉତ୍ତରରେ ବାହାରିଲେ ।
ବିରାଟ ରାକ୍ଷସୀ ପ୍ରାଣବାୟୁ ନାଶି
ସମୁଦ୍ରେ ଲୀନ ହୋଇଲା
ଆକାଶ ମାର୍ଗରେ ସନ୍ତର୍ପଣେ ହନୁ
ଲଙ୍କାମୁଖେ ଯାତ୍ରା କଲା ।
ଦୂରରୁ ଦେଖିଲା ସ୍ଵର୍ଣମୟ ଲଙ୍କା
ଝଲମଲ ଦିଶୁଥାଇ
କେଉଁଠାରେ ଥିବେ ଜନକ ନନ୍ଦିନୀ
କେମନ୍ତେ ମୁଁ ଖୋଜିବଇଁ ।
ସହସା ପ୍ରବେଶି ଅଶୋକ ବନରେ
ନିଜ ପରିଚୟ ଦେଲେ
ରାମଙ୍କ ମୁଦ୍ରିକା ସୀତାହସ୍ତେ ଦେଇ
ନିଜେ ପ୍ରଣିପାତ ହେଲେ ।
ନାନା ଫୁଲ ଫଳେ ପୁରିଥିଲା ତହୁଁ
ଲଙ୍କାର ଅଶୋକ ବନ
ଭାଙ୍ଗି ଭାଙ୍ଗି କରି ଅଶୋକବନ ସେ
ନିମିଷେ କରିଲା କ୍ଷୁର୍ଣ୍ଣ ।
ରାବଣ ଜାଣିଲା ଛାର ଏ ବାନର
ଏହାର କି ମନ୍ଦ ବୁଦ୍ଧି
ଅଶୋକ ବନ ମୋ ନାଶ କରିଦିଏ
ଧରିଆଣ ତାକୁ ବାନ୍ଧି ।
ଅନୁଚର ଆସି ଧରିଲେ ହନୁଙ୍କୁ
ନେଲେ ରାବଣର ପାସ
ରାବଣ ଆଗରେ କୁହେ ହନୁମାନ
ଶ୍ରୀରାମଙ୍କ ମୁହିଁ ଦାସ ।
ସିଂହାସନେ ବସି କହଇ ରାବଣ
ତୋର କି ସାହସ ଏହା
ଲଙ୍କାଗଡ଼ ଆସି ଅଶୋକ ବନରେ
କ୍ଷତି କରିଛୁ ତୁ ଯାହା ।
ହନୁ କହେ ମୋତେ ବସିବାକୁ ଦିଅ
ତାପରେ ଦେବି ଉତ୍ତର
ବିଶୋଦ୍ଗାର କରି ରାବଣ କହଇ
ତୁହିଟି ଛାର ବାନର ।
ନିଜ ଲାଙ୍ଗୁଡ଼କୁ ଉଚ୍ଚ କରି ତହିଁ
ନିଜେ ସେ ଗୁଡ଼ାଇ ଦେଲା
ରାବଣ ଗାଦିରୁ ଅଧିକ ଉଚ୍ଚରେ
ନିଜେ ତହିଁ ବିରାଜିଲା ।
କ୍ରୋଦ୍ଧଭର ହୋଇ କଟୁକଥା କହି
ଧିକ୍କାରିଲା ଲଙ୍କପତି
ଏହାର ଲାଞ୍ଜରେ ଅଗ୍ନି ସଂଯୋଗୀଣ
ଛାଡିଦିଅ ଯାଉ ଯତି ।
ଅଗ୍ନି ସଂଯୋଗୀଣ ହନୁମାନ ଲାଞ୍ଜେ
ଇନ୍ଦ୍ରଜିତ ଛାଡିଦେଲା
ନିମିଷ ମାତ୍ରକେ ଲଙ୍କାଗଡକୁ ସେ
ଦହନ ଯେ କରିଦେଲା ।
ହୁ ହୁ ହୋଇ ଲଙ୍କାଗଡ଼ ଜଳେ
ସବୁଆଡେ ଅଗ୍ନି ମୟ
ସମୁଦ୍ରକୁ ଆସି ଅଗ୍ନିକୁ ନିର୍ବାପି
ଚଳିଲା ସେ ଅଞ୍ଜନେୟ ।
ତୁରନ୍ତ ଆସିଣ ଶ୍ରୀରାମ ଛାମୁରେ
କହିଲା ସବୁ ବଖାଣି
ହନୁର ବାରତା ଶୁଣି କ୍ଷୁଧା ଚିତ୍ତ
ତୃପ୍ତ ହେଲେ ରଘୁମଣି ।
ସୁନ୍ଦରା କାଣ୍ଡର ଚରିତ ଏଠାରେ
ହୋଇଲାକ ସମାପନ
ଯାହା ଜାଣିଥିଲି ତାହା ବଖାଣିଲି
ନ ଧରିବ ଦୋଷ ମାନ ।