ମୋ ମାଆ ର ଦଦରା ପଣତ!
ମୋ ମାଆ ର ଦଦରା ପଣତ!
ଦିନ ତମାମ
ସକାଳୁ ସନ୍ଧ୍ୟା
ଘୁରିବୁଲେ ଗନ୍ତବ୍ୟ ପଥେ ,
କେବେ ଆଜୀବିକା
ତ କେବେ ଶାନ୍ତି ଅନ୍ଵେଷଣରେ ।
ସଞ୍ଜ ଆଗମନରେ
ଗୋଧୂଳି ସଙ୍ଗୀତ ଶୁଣେ
ଭାଗବତ ଟୁଙ୍ଗିର ଝଙ୍କାର ଓ ଗାନ
କର୍ଣ୍ଣକୁ ଶାନ୍ତି ଦିଏ
ହୃଦୟକୁ ଭକ୍ତି ଦିଏ ,
ତଥାପି ମନେପଡେ
ମୋ ମାଆର ପଣତକାନିର
ସ୍ନେହବୋଳା ସ୍ପର୍ଶ
କୁହୁକ ଭରା ଧନ ଧନ ଡାକ
ଆଉ ତାର ଅତୁଳ ମମତା ।
ଆଉ ସେ ଅତୀତର ସତେଜ ସ୍ମୃତିରେ
ପାଏ ଯେଉଁ ଶାନ୍ତି ,
ତାହା ଆଉ କେଉଁଠି
କେବେ ବା କେଉଁ ଅମୂଲ୍ୟ ଦରବେ
ଅନୁଭବ ହୋଇନି ।
କାହିଁକି କେଜାଣି ?
ପିଲାଦିନୁ ହତଭାଗ୍ୟ
ମା' ଛେଉଣ୍ଡ ହୋଇଯାଇଥିଲି ବୋଲି ବୋଧେ
ଖୋଜେ ବେଶୀ ମନରେ ମନରେ
ମୋ ମାଆର ମୁହଁକୁ
ଝିଲିମିଲି ତାରାମାନଙ୍କରେ ।
ସେଦିନର
ମା'ର ସେ ଦଦରା ପଣତରେ
ଯେଉଁ ସୁଖ ନିଦଟି ଆସୁଥିଲା
ଆଜି କାହିଁ ଡନ୍ଲପ୍ ଗଦିରେ ବି ଆସୁନାହିଁ।
ଖୁବ୍ ମନେ ପଡ଼େ ମୋତେ ଆଜି
ମୋ ମାଆର ଦଦରା ପଣତ !
