ପ୍ରିୟା ପଣତ
ପ୍ରିୟା ପଣତ
ଏ ପ୍ରଚଣ୍ଡ ଗ୍ରୀଷ୍ମର ତତଲା ପବନେ
ଜଳି ଜଳି ଶୁଖିଗଲା ପରେ
ଅର୍ଦ୍ଧ ଦଗ୍ଧ ସମିଧ ପରି
ଜୀବନ ମରଣ ମଝିରେ
ଘାଣ୍ଟି ହେଲା ପରେ
ଚାତକ ପରି ମୌସୁମୀର ବାଟ ଚାହୁଁଛି ମୁଁ
ପୁନର୍ଜୀବନ ଆଶାରେ ।
ଗଲାଣି ବଦଳି ଏଠି
ପାଣି ଓ ପବନ ,
ମୌସୁମୀ ବାଟବଣା
ମଣିଷ ସୁବିଧାବାଦୀ
ସମ୍ପର୍କ ର ମୂଲ୍ୟ ମପା ହୁଏ
ଟଙ୍କା ନିକିତିରେ ।
ଏ ସହରର ପୋଖରୀ ସବୁ ଅଧମରା
ତା ଭିତରେ କୋମଳ ନୀଳ ପଦ୍ମ ଜୀବନ
ଗଲାଣି ଝାଉଁଳି ।
ତାର ଉଜ୍ଜ୍ବଳ ଶ୍ରୀ ତନୁକୁ
ଗ୍ରାସିଲାଣି ସହରୀ ନର୍ଦ୍ଧମାର
ବିଷାକ୍ତ ଅବିଶ୍ବାସ ,
ମିଛ ମାୟା ଛଳନା
ଡଷ୍ଟବିନ ମାନଙ୍କରେ
ପରିତ୍ୟକ୍ତ ଅବାଞ୍ଛିତ
ଶିଶୁ ମାନଙ୍କ ଚିତ୍କାର ଯେତେ
ବୃଦ୍ଧାଶ୍ରମ ମାନଙ୍କରେ
ନେହୁରା ବୃଦ୍ଧ ହୃଦରେ
ନିରାଶାର ସଂଚାର ସେତେ
ଏଠି ଉଭୟ ଜାତିର ପ୍ରଶ୍ନ -
ଆମ ପରିଚୟ କଣ ?
କେଉଁ ସୁଖର ସନ୍ଧାନରେ
ସହରାଭିମୁଖି ଶିକ୍ଷିତ ଶିକ୍ଷିତା?
ମୋ ଗାଁ ପୋଖରୀ ର ନୀଳ କଇଁ ଯେ
ଆଜି ବି ନୀଳ ପଦ୍ମ ସମ ଉଜ୍ଜ୍ବଳ ଦିଶେ
ସକାଳେ ସଞ୍ଜକୁ
ଧୀର ପବନରେ ।
ଦିଅ ଦିଅ
ପଥ ଆମ ଛାଡ଼ି ଦିଅ
ଯିବୁ ଚାଲି ଏକ ନବୀନ ରାଇଜେ
ନବ ପଲ୍ଲବ ନବ ଚେତନା
ନୂଆ ସ୍ବପ୍ନ ଚାରୁ ସବୁଜିମା
ଏ ସବୁ କୁ ପାଥେୟ କରି
ଗଢ଼ିବାକୁ ନୂଆ କୁଟୀର ଟେ
ମନ ମୋ ଖୋଜୁଛି ଜାଗା
ଜହ୍ନ ଅଗଣାରେ ।
ଶୀତଳ ଜ୍ୟୋତ୍ସ୍ନାର ଧାରେ
ଝରଣା ର କୁଳକୁଳୁ ତାନେ
ମଧୁର ସଙ୍ଗୀତ ର ଝଙ୍କାର ଶୁଣୁ ଶୁଣୁ
ଚନ୍ଦ୍ରମା ଅଗଣା ଉଦ୍ୟାନେ
ନିତି ଖୋଜିବି ଜୀବନ ମନ୍ତ୍ର
ପ୍ରୀତି ସ୍ନେହ ଭାଷାର
ନବ ଅଭିଳାଷାର
ବନ୍ଧା ହୋଇ
ପ୍ରିୟତମା ଭାବପଣତ ରେ ।
ଗାଇବାକୁ ଜୀବନ ସଙ୍ଗୀତ
ତୋଳି ପଞ୍ଚମ ତାନ
ଗଢ଼ି ଜହ୍ନ ଦେଶେ
ଗୋପକୁଞ୍ଜର
ପ୍ରୀତିମୟ ନିଧି ଉଦ୍ୟାନରେ
ଯିବୁ ଆମେ
ଦିଅ ଦିଅ ପଥ ଛାଡ଼ି ।