ଗୋ ରୂପସୀ ମାନସୀ
ଗୋ ରୂପସୀ ମାନସୀ
ଆହା ଗୋ ରୂପସୀ
ନୟନେ ପ୍ରବେଶି
ହୃଦୟେ ତୋଲିଛ ଘର
ସପନରେ ଆସି
ଗୋ ମନ ମାନସୀ
କରୁଛ ବରଣ ମୋର ।
ପ୍ରେମାମୃତ ଧାରା
ଦେହମନ ସାରା
ଏମିତି ଦେଇଛ ବୋଳି
ଯେ ତୁମରି ନାମକୁ
ଦିବସ ରଜନୀ
ଗାଉଅଛି ପିକ ଭଳି ।
କୁହ ଗୋ ସଜନୀ
କିଆଁ ଆସିଲନି
ଏ ଜୀବନେ ଆଗତୁରା ?
ଖୋଜୁଥିଲି ଯେବେ
ଜୀବନ ସାଥିଟେ
ସ୍ବପ୍ନ କରିବାକୁ ପୁରା ।
ଆସିଅଛ ଏବେ
ଏ ସମୟ ଯେବେ
ବାନ୍ଧି ଦେଲାଣି ମୋ ଡେଣା
ମନ ପକ୍ଷୀ ବନ୍ଦୀ
ରୀତି ନୀତି ଫାଶେ
ଉଡ଼ିବାରେ କଟକଣା ।
ତୁମେ ଯା ବୁଝୁଛ
ମୋ ଅନ୍ତର ବୁଝୁଛି
ହେଲେ ବୁଝିବ କି ଏ ସମାଜ ?
ବିବାହ ଉତ୍ତର
ପ୍ରେମ ବୋଲି କହି
କଳଙ୍କ ବୋଳିବ ଆଜ ।
ତୁମ ଆଗମନେ
ଏ କୋକିଳ ଜୀବନେ
ଲାଗେ ବସନ୍ତ ଆସିଛି ଫେରି
ସକଳ ସନ୍ତାପକୁ
କାଳ କୋଠରୀରେ
ଆଜୀବନ ବନ୍ଦୀ କରି ।
ସରିଗଲାଣି ମୋ
ଅଧା ଯଉବନ
ତଥାପି ଭାବନା ଜାଗେ ,
ତୁମ ଆଗମନେ
ମୋ ନବଯୌବନ
ବିକସୁଛି ପୂର୍ଣ୍ଣ ରାଗେ ।
ଝଙ୍କାର ତୋଳୁଛି
ହୃଦୟ ବୀଣା ମୋ
ତୁମ ପ୍ରୀତିର ରାଗିଣୀ
ଭାବ ପ୍ରୀତିମୟ
ତୁମ ପରିଚୟ ହିଁ
ମୋ ସକଳ ସୁଖର ଖଣି ।
ଏ ସାରା ଜୀବନ
ତୁମ ଠିକଣାରେ
ଭାବି ଭାବି ବିତିଯାଉ ।
ପବିତ୍ର ପ୍ରେମର
ଜାପ ଓ ଭଜନେ
ଏ ହୃଦ ସର୍ବଦା ଥାଉ ।

