ମଧୁମତି
ମଧୁମତି
ସୁଦୂର ଅତୀତେ ଅନେକ ବରଷ ତଳେ
ଅଳପ ବାଟରେ ସେଇଠି ସାଗର କୂଳେ
ଛୋଟିଆ ମୂଲକେ ଥିଲା ସେ ଛୋଟିଆ ବାଳା
ମଧୁମତି ନାମ ଶୁଣିଥିବ କଥା ଛଳେ ।
ମନେ ତାର ଗୋଟେ ଭାବନା ମାତର ଥିଲା
ଭଲ ପାଇ ମୋତେ ଖୁସି ଥିଲା ସେହି ବାଳା
ତା ଲାଗି ମୋ ମୁଖେ ହସ ଥିଲା ସଦା ଭରି
ସୁଖେ କାଟୁ ଥିଲୁ ଦୁହେଁ ଶଇଶବ ବେଳା ।
ଆକାଶ ରାଇଜେ ଦେଖୁଥିଲେ ଯେତେ ପରୀ
ପୀରତିଠୁ ବଳି ଶରଧାରେ ଜଳି ପୋଡି
ସରଜିଲେ ଥରେ ଏଡିକି ବରଷା ଝଡ
ମଧୁଝରା ମଧୁମତି ଗଲା ମୋତେ ଛାଡି ।
ତା ପରେ ଆସିଲେ ପରିଜନ କେତେ ତାର
ନେଇ ତାକୁ ସାଥେ ଗଲେ ଏଠୁ ବହୁ ଦୂର
ଶୋଇ ଦେଲେ ତାକୁ ଛୋଟ ଗୋଟେ ତୋଟାମାଳେ
ଛୋଟ ସେ ମୂଲକେ ସେଇ ପାରାବାର ତୀର ।
ଥିଲେ ସେଠି ବଡ, ଜାଣିବା ଶୁଣିବା ଜନେ
ଏତେ ଭଲ କିଏ ପାଇ ନାହିଁ କେବେ ଆନେ
ଆକାଶରେ ପରୀ, ସାଗରେ ଅସୁର ନାହିଁ
କରିଦେବ ମୋତେ ସେ ମଧୁମତିଠୁ ଭିନେ ।
ସେ ଦିନୁ ଏ ଭଳି ଶଶଧର ଉଇଁ ନାହିଁ
ସପନେ ନୟନେ ନ ଦେଖେ ଯେ ତାର ଛାଇ
ଆସି ନାହିଁ କେବେ ଆକାଶେ ଗୋଟିଏ ତାରା
ମଧୁମତି ଚକ୍ଷୁ ଚଟୁଳ ମଧୁ ନ ଥାଇ ।
ଆକାଶୁ ଖସିଲେ ବରଷା ଅସରା ଧାରା
ଲହରେ ଫେନିଳ ଦିଶିଲେ ସାଗର ବେଳା
ମଧୁମତି ମଧୁ ତଳପ କୋଳେ ମୁଁ
ଛୁଟାଏ ତା ଗୀତ ଧାରା;
ମୁଁ ଏକା ଜାଣେ ସେ -- ଗୀତେ କି ମଦିରା ଭରା ।
ମଧୁମତି ଗୀତ -- ମୁଁ ଜାଣେ କି ମଧୁ ଝରା ।