ସନେଟ୍ (Sonnet) କଣ
ସନେଟ୍ (Sonnet) କଣ
ସନେଟ୍ (sonnet) କଣ
ସନେଟ୍ କଣ: ସନ୍ନେଟ୍ ଏକ କଠୋର ଶୃଙ୍ଖଳାଧୀନ କଵିତା ରଚନାର ଶୈଳୀ ।
ସଂଗଠନ: ଏଥିରେ ୧୦ ଧ୍ଵନି-ଏକକ (syllable) ଵିଶିଷ୍ଟ ୧୪ଟି ଧାଡି ଵା ପଙ୍କ୍ତି ରହେ । ଭାରତୀୟ ଭାଷାରେ ସନେଟ୍ ଲେଖିଲେ ପ୍ରତି ପଙ୍କ୍ତିରେ ଦଶ ଅକ୍ଷର କହିବା ଠିକ୍ ହେବ ।
ଅକ୍ଷରକ୍ରମ: ଏହି ଅକ୍ଷର ଗୁଡିକ ଗୋଟିଏ ଲଘୁ (unstressed or short) ପରେ ଗୋଟିଏ ଗୁରୁ (stressed or long ) ହେବା ଵିଧେୟ । ଆମ ଶାସ୍ତ୍ରରେ ଏହି ୧୦ ଅକ୍ଷର ଵିଶିଷ୍ଟ ଅଵିକଳ ଛନ୍ଦର ନାମ ସରାଵିକା ।
ଵିଷୟସଜ୍ଜା: ସନେଟ୍ର ପ୍ରଥମ ଚତୁଷ୍ପାଦିକ (quatrain)ରେ ମୁଖ୍ୟ ଵିଷୟର ଉପସ୍ଥାପନ, ଦ୍ଵିତୀୟରେ ଵିଷୟର ଵିସ୍ତାରଣ ଓ ତୃତୀୟରେ ଵିପରୀତ ଭାଵନ ରହେ । ଯୁଗ୍ମକ (couplet)ଟିରେ ସୁଷ୍ପଷ୍ଟ ଉପସଂହାର ରହେ ।
ସାଵଧାନତା: ଏହି ନିୟମଗୁଡିକ ନ ମାନି ଲେଖିଲେ ସନେଟ୍ ସନେଟ୍ ବୋଲି ଯେତେ ରଡି ଛାଡିଲେ ବି ଶାସ୍ତ୍ରାନୁସାରେ ଲେଖାଗୁଡିକ ସନେଟ୍ ହେଇ ଯାଏ ନାହି । ସ୍ମରଣୀୟ ଯେ ଦୋହା କି ରୁବାଇ ମଧ୍ୟ କଵିତାର ଶୀର୍ଷକ ପାଖରେ ସେ ପରି ଲେଖି ଦେଲେ ହେଇ ଯାଏ ନାହିଁ । ଯିଏ ଯାହା ଲେଖିବ ତାକୁ ତା ନିୟମ ଜାଣି ସେ ପରି ଲେଖିବାକୁ ହେବ ।
ଆନ୍ତ୍ୟମିଳନ: ସନେଟ୍ରେ 14ଟି ପଙ୍କ୍ତିର ଆନ୍ତ୍ୟମିଳନ ଶୈଳୀ ହେଲା ABAB, CDCD, EFEF ଓ GG ଯେଉଁଥିରେ କି A, B ଆଦି ପରସ୍ପରଠୁ ଭିନ୍ନ ସମାପକ । ତେବେ ଅନ୍ୟ ଏକ ଭେଦ (variant)ରେ ABAB BCBC CDCD EE ମଧ୍ୟ ହୁଏ । ଏଥିରେ A B ଓ C ଇତ୍ୟାଦି ପରସ୍ପରଠୁ ଭିନ୍ନ ଶେଷାକ୍ଷର ।
ପ୍ରକାରଭେଦ: ସନେଟ୍ ମୁଖ୍ୟତଃ ଦୁଇ ପ୍ରକାରର: ସେକ୍ସ୍ପିରୀୟ (Shakespearean) ଓ ପେଟ୍ରାର୍କୀୟ (Petrarchan). ଏ ଯାଏ ସେକ୍ସ୍ପିରୀୟ ସନେଟ୍ ଵିଷୟରେ କହିଥିଲି ।
ପେଟ୍ରାର୍କୀୟ: ଏହି ସନେଟ୍ରେ ପ୍ରଭେଦ ଏହି ଯେ ଏଥିରେ ଧାଡିଗୁଡିକୁ 3ଟି ଚତୁଷ୍ପାଦିକ ଓ 1ଟି ଯୁଗ୍ମକରେ ଶ୍ରେଣୀବଦ୍ଧ (grouping) ନ କରି ପ୍ରଥମ 8 ଧାଡିକୁ 1ଟି ଅଷ୍ଟକ (octave) ଓ ପର 6 ଧାଡି ଏକତ୍ର କରି 1ଟି ଷଷ୍ଠକ (sestet)ରେ ଶ୍ରେଣୀବଦ୍ଧ କରା ଯାଏ । ଏହାର ଆନ୍ତ୍ୟ ମିଳନ ବି ଭିନ୍ନ ପ୍ରକାର କରୁଛନ୍ତି । ଯଥା: (1) ABBA ABBA CDECDE (2) ABBA ABBA CDCCDC । ଏଥିରେ ବି ଏକା ଵର୍ଣ୍ଣଶୃଙ୍ଖଳା ଵାଧ୍ୟତାମୂଳକ ।
ସରାଵିକା ଛନ୍ଦ କଣ: ଏହା ଏକ ଦଶାକ୍ଷର ଵିଶିଷ୍ଟ ଅର୍ଥାତ୍ ପଙ୍କ୍ତି ଶ୍ରେଣୀୟ ଵାର୍ଣ୍ଣିକ ଛନ୍ଦ । ଏଥିରେ ଲଘୁ ଓ ଗରୁ ମିଶି ମୋଟ 10ଟି ଵର୍ଣ୍ଣ ରହିବାର କ୍ରମ ହେଲା: 121-212-121-2 ଯେଉଁଥିରେ କି 1 ଲଘୁ ଵର୍ଣ୍ଣ୍ ଓ 2 ଗୁରୁ ଵର୍ଣ୍ଣର ସୂଚକ ।
ଲଘୁ ଓ ଗୁରୁ ଵର୍ଣ୍ଣ କଣ: ଯେଉଁ ଵର୍ଣ୍ଣର ଉଚ୍ଚାରଣ ସମୟ 1 ଏକକ (one unit) ଵା 1 ମାତ୍ରା ତାହା ଲଘୁ ଵର୍ଣ୍ଣ ଓ ଯାହାର ଉଚ୍ଚାରଣ ସମୟ 2 ଏକକ ଵା 2 ମାତ୍ରା ତାହା ଗୁରୁ ଵର୍ଣ୍ଣ ।
ଲଘୁ ଓ ଗୁରୁ ଵର୍ଣ୍ଣ ନିର୍ଣ୍ଣୟ: ଵ୍ୟାକରଣରେ ପଢା ହେଇଛି କି ଅ, ଇ, ଉ, ଋ, ଌ - ଏହି 5ଟି ହ୍ରସ୍ଵ ସ୍ଵର ଓ ବାକି ଆ, ଈ, ଊ, ୠ, ଏ, ଐ, ଓ,ଔ - ଏହି 8ଟି ଦୀର୍ଘ ସ୍ଵର । ଛନ୍ଦ ଶାସ୍ତ୍ରରେ ସମସ୍ତ ଦୀର୍ଘ ସ୍ଵର ଗୁରୁ ଵର୍ଣ୍ଣ । କିନ୍ତୁ ହ୍ରସ୍ଵ ସ୍ଵର ଗୁଡିକ ସାଧାରଣତଃ ଲଘୁ ହେଲେ ହେଁ ସ୍ଥଳଵିଶେଷରେ ସେଗୁଡିକ ବୋଲିଲା ବେଳେ ଅଧିକ ସମୟ ନିଅନ୍ତି ବୋଲି କାଵ୍ୟରେ ଗୁରୁ ଵର୍ଣ୍ଣ । ଏହି ସ୍ଥିତି ଗୁଡିକ ହେଲା -
(୧) ଯେଉଁଥିରେ ଅନୁସ୍ଵାର ଵା ଵିସର୍ଗ ଯୋଗ ହେଇ ଥିବ ସେହି ଵର୍ଣ୍ଣ ଗୁରୁ ଵର୍ଣ୍ଣ
(୨) ଏକା ପାଦ ବା ଚରଣରେ ଯେଉଁ ଵର୍ଣ୍ଣର ଠିକ୍ ପରେ ଯୁକ୍ତାକ୍ଷର ଵା ହଳନ୍ତକ ଵର୍ଣ୍ଣ ଥିବ ତାହା ମଧ୍ୟ ଗୁରୁ ଵର୍ଣ୍ଣ ।
(୩) ପାଦର ଶେଷକୁ ଲଘୁ ଵର୍ଣ୍ଣ ଥିଲେ ବି ତାକୁ ଗୁରୁ ଵର୍ଣ୍ଣର ବୋଲି ମାନ୍ୟତା ଦିଆ ଯାଇ ପାରିବ ।
ସ୍ମରଣୀୟ: ଵ୍ୟଞ୍ଜନ ଵର୍ଣ୍ଣର ମାତ୍ରା ନ ଥାଏ ।
ଉଦାହରଣ:
ଶବ୍ଦ ମାତ୍ରା ଵିଚାର
---- --------------
କସ - କରେ 1 ମାତ୍ରା, ସରେ 1 ମାତ୍ରା ।
କଂସ - କଂରେ 2, ସରେ 1 ମାତ୍ରା ।
ଵଂଶୀ - ଵଂରେ 2, ଶୀରେ 2 ମାତ୍ରା ।
ଚକ - ଚରେ 1 ଓ କରେ 1 ମାତ୍ରା ।
ଦୁଃଖ - ଦୁଃରେ 2 ଖରେ 1 ମାତ୍ରା ।
ଚୁପ୍ - ଚୁରେ 2 ମାତ୍ରା ପ୍ରେ 0 ମାତ୍ରା ।
ଭଵିଷ୍ୟତ୍ - ଭରେ 1, ଵିରେ 2, ଷ୍ୟରେ 2, ତ୍ରେ 0 ମାତ୍ରା ।
ହଠାତ୍ - ହରେ 1, ଠାରେ 2, ତ୍ରେ 0 ମାତ୍ରା ।
ମାତ୍ରିକ ଓ ଵାର୍ଣ୍ଣିକ ଛନ୍ଦ କଣ: ଵୈଦିକ ଛନ୍ଦଠୁ ଭିନ୍ନ ଆମ ଛନ୍ଦ ଶାସ୍ତ୍ରରେ ଦୁଇ ପ୍ରକାର ଲୌକିକ ଛନ୍ଦ ଅଛି - ମାତ୍ରିକ ଛନ୍ଦ ଓ ଵାର୍ଣ୍ଣିକ ଛନ୍ଦ । ମାତ୍ରିକ ଛନ୍ଦରେ ମାତ୍ରା ଗଣନା ହୁଏ । ଵାର୍ଣ୍ଣିକ ଛନ୍ଦରେ ପ୍ରତି ଧାଡିରେ ଯେଉଁଠି ଲଘୁ ଵା ଗୁରୁ ଯେଉଁ ଵର୍ଣ୍ଣର ଵିଧାନ ଥିବ ସେଠି ସେହି ଵର୍ଣ୍ଣ ଲେଖିବାକୁ ପଡିବ ଅର୍ଥାତ୍ ପ୍ରତି ଧାଡି ବା ପାଦରେ ଲଘୁଗୁରୁ ଵର୍ଣ୍ଣକ୍ରମ ସମାନ ରହିବ ।
ସରାଵିକା କାହିଁକି: ଵାର୍ଣ୍ଣିକ ଛନ୍ଦ କଠୋର କିନ୍ତୁ ସନେଟ୍ କ୍ଷେତ୍ରରେ ସେହି ଵାର୍ଣ୍ଣିକ ଛନ୍ଦ ଵିଶେଷ "ସରାଵିକା" ହିଁ ପ୍ରୟୋଗ୍ୟ । କାରଣ ହେଲା ଇଂରାଜୀରେ ସନେଟ୍ ଏହି କଠୋର ଵର୍ଣ୍ଣକ୍ରମରେ ହିଁ ଲେଖା ହୁଏ ।
ଓଡିଆରେ ସନେଟ୍: ଏବେ ଓଡିଆ ଭାଷାରେ ଏହି ଵାର୍ଣ୍ଣିକ ଛନ୍ଦ ସରାଵିକାରେ ରଚିତ ସେକ୍ସ୍ପିରୀୟ ସନେଟ୍ର ଉଦାହରଣ ନିଅନ୍ତୁ ।
ଉଦାହରଣ:
(୧)
===================
ଛନ୍ଦ: ସରାଵିକା
ଛନ୍ଦର ଲକ୍ଷଣ: 121-212-121-2
(ଏଥିରେ 1= ଲଘୁଵର୍ଣ୍ଣ ଓ 2= ଗୁରୁଵର୍ଣ୍ଣ;)
===================
କଵିତା: ସନେଟ ଲେଖିବା ଵିଧାନରେ
ସନେଟ ଚୌଦପାଦ ଗୀତିକା (A = କା)
ପୁନଶ୍ଚ ପାଦଟେ ଦଶାକ୍ଷରେ (B= ରେ)
କ୍ରମାନ୍ଵୟେ ଥିବାର ଖଞ୍ଜିକା (A = କା)
ସୁଦୀର୍ଘଟେ ଅଦୀର୍ଘଟେ ପରେ । (B= ରେ)
ସୁଦୀର୍ଘ= ଗୁରୁଵର୍ଣ୍ଣ; ଅଦୀର୍ଘଟେ= ଲଘୁଵର୍ଣ୍ଣ;
ପ୍ରମେୟ ଆଦ୍ୟରେ ଚତୁଷ୍ପଦେ (C= ଦେ)
ଵିଶେଷ ପାଞ୍ଚ-ଆଠ ପଙ୍କ୍ତିକେ (D= କେ)
ନଠାରୁ ବାର ଵାମ ଆସ୍ପଦେ (C= ଦେ)
ଦି ଧାଡିରେ ସମାପ୍ତି ଯୁଗ୍ମକେ । (D= କେ)
ପ୍ରମେୟ= ଵକ୍ତଵ୍ୟ, theorem; ଚତୁଷ୍ପଦ= quatrain; ଵିଶେଷ= ଵିସ୍ତାର, expansion; ଵାମ= ଵିପରୀତ ଭାଵନ ଵା ତର୍କ; ଆସ୍ପଦ= ଵ୍ୟାପାର, ଵ୍ୟଵହାର, affair; ଯୁଗ୍ମକ= couplet;
ଅନେକ ଚୌଦ ଧାଡି ଲେଖିଲେ (E= ଲେ)
ମଣନ୍ତି ତା ସନେଟ ଗୋଟିଏ । (F= ଏ)
ନମାନି ତା ଵିଧାନ ଯା କଲେ (E= ଲେ)
ସନେଟ ତାକୁ ମାନିବେ କିଏ । (F= ଏ)
ସନେଟ ଲେଖିବାକୁ ଆଗ୍ରହୀ ! (G= ହୀ)
ଵିଧାନ ମାନ ଦେଖୁ ଏ ସହୀ । (G= ହୀ)
(L. Kabi)
(୨)
===================
ଛନ୍ଦ: ସରାଵିକା
ଛନ୍ଦର ଲକ୍ଷଣ: 121-212-121-2
(ଏଥିରେ 1= ଲଘୁଵର୍ଣ୍ଣ ଓ 2= ଗୁରୁଵର୍ଣ୍ଣ;)
===================
କଵିତା: ମନୁଷ୍ୟଜନ୍ମ
ମନୁଷ୍ୟଜନ୍ମ ସାର ଶାଶ୍ଵତେ
ଵିଵେକ ବୁଦ୍ଧି ଯୁକ୍ତ ଜୀଵ ସେ ।
ଶରୀର ଦକ୍ଷ ତାର ସଂସୃତେ
ରସା ତଳେ ସମସ୍ତ ତା ଵଶେ । 1
ଶାଶ୍ଵତୀ= ପୃଥିଵୀ; ସଂସୃତି= ସଂସାର;
ମନୁଷ୍ୟ ଧର୍ମ ନୀତି ଆଦରେ,
ପଢେ ପଢାଇ ଥାଇ ଶାଵକେ;
ସିଏ ଜିଣେ ସଦା ଚରାଚରେ,
ଅନନ୍ୟ ଜୀଵ ଏହି ଗୋଲକେ । 2
ଗୋଲକ= ପୃଥିଵୀ;
ଶଠତ୍ଵ ଆଚରେ ବି ମାନଵ,
ଅସତ୍ୟ ଭାଷଣେ ଜିଣେ ଧରା,
ଫଳେ ସ୍ଵତଃ ହୁଏ ଅସମ୍ଭଵ
ମମତ୍ଵପୂରିତା ଵସୁନ୍ଧରା । 3
ମନୁଷ୍ୟ ଜନ୍ମରେ ମହାନତା
ମିଳେ ସଦୈଵ ମାନି ଶୀଳତା ।
(L. Kabi)
L. Kabi 22-11-07-22-48