ରାତିଟା ନ ଯାଉ ପାହି
ରାତିଟା ନ ଯାଉ ପାହି


ରକ୍ତର ରଙ୍ଗରେ ରଞ୍ଜିତ ଏ ପତ୍ର
ଲାଗୁଛି ସୁନ୍ଦର ଭାରି,
ଆଖିରେ ଲଗାଇ ଲାଜର କଜଳ
ହସୁଅଛି ମନ ମାରି |
ମନ ମୋ କହୁଛି ଧରନ୍ତି କି ତାକୁ
ଛାତିରେ ମୋହର ଭିଡ଼ି,
ମନ ଭିତରେ ମୋ ଯେତେ ଦୁଃଖ ଥାଉ
ଆକାଶେ ଯାଆନ୍ତି ଉଡି |
ତାକୁ ଦେଖି ହସେ କେତେ ପ୍ରଜାପତି
ମନେ ଧରି ନୂଆ ଆଶା,
ତାହାରି କୋଳରେ କେତେ ଯେ ବିହଙ୍ଗ
ବାନ୍ଧିଥାନ୍ତି ନିଜ ବସା |
ଝିପି ବରଷାରେ ଘାଟ କଦମ୍ବର
ବାସ ଝରା ଅଭିମାନ,
ନଦୀର କୋଳରେ ରହି ଏକାନ୍ତରେ
ମୋହୁ ଥାଏ ପ୍ରାଣୀ ମନ |
ଅବୁଝା ମୋ ମନ ବୁଝେନାହିଁ ଜମା
ସମୟ ଯାଉଛି ସରି,
ତୁମ ଉପସ୍ଥିତି ପ୍ରାଣୀ ଜୀବନକୁ
ନୀଳ ରଙ୍ଗେ ଦିଏ ଭରି |
ସଞ୍ଜ ନଇଁ ଗଲେ ପଲକ ରାଣରେ
ସପନ କରାଇ ଟାହି,
କାହିଁ ତୁମ ବିନା ଶୂନ୍ୟତା ସାଉଁଟି
ରାତି ଟା ନଯାଉ ପାହି |