ସପନ ଭ୍ରମଣ
ସପନ ଭ୍ରମଣ
ଦିନ ତମାମ
ସକାଳୁ ସନ୍ଧ୍ୟା ଘୂରିବୁଲେ
ଜୀବନର ଗନ୍ତବ୍ୟ ପଥେ ,
କେବେ ଜୀବିକା
ତ କେବେ କର୍ତ୍ତବ୍ୟ ପାଇଁ ।
ଖରା, ବର୍ଷା, ଶୀତେ
ଦୁର୍ଗମ ବନ ପର୍ବତେ
ମରୁ ପ୍ରାନ୍ତର ଅଙ୍କାବଙ୍କା ପଥେ
ହାଲିଆ ହୋଇପଡେ ଧାଇଁ ଧାଇଁ ।
ଥକାପଣ ନେଇ ଅବସ ଦେହେ
ଫେରିଆସେ ଯେବେ ଡେରାକୁ
ମାଡ଼ିବସେ ନିଦ ରାତ୍ରି ଅଙ୍କେ
ଚିରି ତମସା ଘେରାକୁ ।
ନୀରବ ପାଦେ ସ୍ବପ୍ନ ସୁନ୍ଦରୀ
ସେତିକି ବେଳେ ଆସି
ପାଖେ ବସି, ଦିଏ ଆଉଁସି
ମୁରୁକି ମୁରୁକି ହସି ।
ସ୍ବପ୍ନ ଭାଙ୍ଗିଗଲେ
ବିରହରୁ ଯନ୍ତ୍ରଣା ତ ହୁଏ
କିନ୍ତୁ ସପନ ରାତିର ମଧୁର ସ୍ମୃତି
ହରିନିଏ ସବୁ ଥକାପଣ
ପୁନଃ ଖେଲିଯାଏ ଦେହେ
ନବୀନ ଉଷାର ସ୍ଫୁର୍ତି ।
ସେ ସ୍ବପ୍ନ ଆଉ ସ୍ବପ୍ନାର
ରୀତିମତ ଭ୍ରମଣ
ଏ ଜୀବନ କାନଭାସ ରେ ଆଙ୍କନ୍ତି
ସରଗର ପ୍ରତିକୃତି ।