ବେଳାଭୂମି ।
ବେଳାଭୂମି ।
ସାଗର କୂଳର ବାଲୁକା ଶଯ୍ୟାର
ବେଳାଭୂମି ଟିଏ ମୁହିଁ
ସାଗର ଲହଡି ଦିନ ରାତି ମୋର
ଦେହକୁ ଯାଅଇ ଛୁଇଁ ।
କେତେ ପର୍ଯ୍ୟଟ୍ଟକ ଧାଇଁ ଆସୁଥାନ୍ତି
କେତେ ଆଗ୍ରହରେ ଫଟୋ ସେ ଉଠାନ୍ତି
ମୋ କୋଳେ ପଡନ୍ତି ଶୋଇ ।
ତାଙ୍କୁ ଭଲ ପାଏ ମୁହିଁ ।
ଶହ ଶହ ପର୍ଯ୍ୟଟ୍ଟକ ଆସୁଥାନ୍ତି
ରହିଥାଏ ପାଦ ଚିହ୍ନ
ଅତି ମନୋରମ ଦୃଶ୍ୟ ଦେଖି ତାଙ୍କ
ବିଭୋର ହୁଅଇ ମନ ।
ସକାଳ ସନ୍ଧ୍ୟାର ମନଲୋଭା ଦୃଶ୍ୟ
ଅତି ଲୋଭନୀୟ ସିଏ
ମାନସ ପଟ୍ଟରେ ଛାପି ରହିଯାଏ
ଭୂଲିବା ପାରଇ କିଏ ।
ବାଲୁକା ଶଯ୍ୟରେ ବସି ଚିତ୍ର ଶିଳ୍ପୀ
ଅତି ଲୋଭନୀୟ ଆଙ୍କି ଥାଏ ଛବି
ମନ ନିଏ ସିଏ ମୋହି
ବେଳାଭୂମି ଟିଏ ମୁହିଁ ।
କେତେ ଯେ ପ୍ରେମିକ ପ୍ରେମିକା ଆସନ୍ତି
ବସିଥାନ୍ତି ମୋ କୋଳରେ
ମନରେ ତାଙ୍କର ଅଶୁମାରୀ ସ୍ୱପ୍ନ
ପ୍ରେମ ଥାଏ ହୃଦୟରେ ।
କେତେ କବି କେତେ ଗାଳ୍ପିକ ଗାଳ୍ପିକା
ଭାବନା ରାଇଜେ ଡୁଡି
ହୃଦୟ କାଗଜେ ମନର କଲମେ
କାହାଣୀ ଲେଖନ୍ତି ବୁଡି ।
କିଏ ଆଣେ ମନେ ମନର ନାୟିକା
କିଏ ଥାଏ ପୁଣି ବିରହୀ ପ୍ରେମିକା
ସବୁ ରହି ଦେଖୁଥାଇ
ବେଳାଭୂମି ଟିଏ ମୁହିଁ ।
ସମୁଦ୍ରରେ ସତେ ଆକାଶ ଲାଗିଛି
ଦୃଶ୍ୟ ଅତି ମନୋହରା
ସରଗ ସୁଷମା ଅମରାବତୀ କି
ମର୍ତ୍ତ୍ୟେ ଓହ୍ଲାଇଛି ପରା ।
ସମୁଦ୍ର ଗର୍ଭରେ ମହା ଆନନ୍ଦରେ
ଜଳକ୍ରୀଡା କରୁଥାନ୍ତି
ଲହଡି କେ ଭାଙ୍ଗେ କିଏ ପୁଣି ବସି
&nb
sp; ଶାମୁକା ଗୋଟାଉ ଥାନ୍ତି ।
ସମୁଦ୍ର ଗର୍ଭକୁ ଯାହା ଫୋପାଡନ୍ତି
ରତ୍ନାକର ତାହା ଫେରେଇ ଦିଅନ୍ତୁ
ନିଅନ୍ତି ଧାଇଁ ଗୋଟେଇ ।
ଦେଖୁଥାଏ ହସି ମୁହିଁ ।
ସେମାନଙ୍କୁ ଦେଖି ହୃଦୟ ମୋହର
କେତେ ହୁଏ ଆନନ୍ଦିତ
କେତେ ଅନୁଭୂତି କେତେ ସବୁ ସ୍ମୁତି
ଦେଖି ଲାଗେ ଆଚମ୍ବିତ ।
ଭାରି ଖୁସି ଲାଗେ ମନେ ଗର୍ବ ଆସେ
ବେଳାଭୂମି ଟିଏ ବୋଲି
ଦେଶ ବିଦେଶରୁ କେତେ ପର୍ଯ୍ୟଟ୍ଟକ
ମୋ ପାଶେ ଆସନ୍ତି ଚାଲି ।
କେତେ କିଣାବିକା ଚାଲିଥାଏ ଏଠି
ବୁଲି ଥାନ୍ତି ବସି ଘୋଡା ଓଟ ପିଠି
କିଣି ଖା'ନ୍ତି ଖୁସି ହେଇ ।
ବେଳାଭୂମି ଟିଏ ମୁହିଁ ।
ରାତି ହେଇଗଲେ ଚାଲି ଯା'ନ୍ତି ସବୁ
ମୁଁ ଏକା ହେଇଯାଏ
ମୋର ଯେତେ ସ୍ମୁତି ଅଭୁଲା କାହାଣୀ
ସାଗରକୁ କହୁଥାଏ ।
ବିଦାୟ ନେଇଣ ସିଏ ଯେବେ ଯାନ୍ତି
ଦୁଃଖ ବେଶୀ ଲାଗୁଥାଏ
ସକାଳ ସୁରୁଯ କେମିତି ଆସିବ
ନୀରବରେ ଭାବୁଥାଏ ।
ଜହ୍ନ ଜୋଛନାରେ ମୁଁ ଭିଜୁଥାଏ
ଛାଡିଥିବା ପାଦ ଚିହ୍ନ ଦେଖୁଥାଏ
ରାତି ଯାଇଥାଏ ପାହି ।
ବେଳାଭୂମି ଟିଏ ମୁହିଁ ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ପାଇଁ ସିନା ଭିଡ ମୋର
ତାଙ୍କରି ଆଶିଷେ ଭକତର ପାଦ
ପଡିଥାଏ ନିରନ୍ତର ।
କେତେ ପୁଣ୍ୟ ବଳେ ହେଇଅଛି ଆଜି
ମୁହିଁ ବେଳାଭୂମି ଟିଏ
ମୋହରି ପାଖରେ ସରଗର ଦ୍ୱାର
ପୁଣି ଶୋଭା ପାଉଥାଏ ।
ଦେଖା ଯାଉଥାଏ ପତିତପାବନ
ଜୀବନ ମୋହର ହେଉଥାଏ ଧନ୍ୟ
ପ୍ରଣାମ କରୁଛି ରହି
ବେଳାଭୂମି ଟିଏ ମୁହିଁ ।