STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ସେ ଦିନ ଆସିବ କି ଫେରି

ସେ ଦିନ ଆସିବ କି ଫେରି

2 mins
868

ସବୁ କିଛି ଠିକ୍ ଥିଲା

ଜହ୍ନ ହସୁଥିଲା 

ତୁମେ ହସୁଥିଲ

ମୁଁ ବି ହସୁଥିଲି

ସେ ହସକୁରା ଜହ୍ନକୁ ଦେଖି

ତୁମ ହାତର ପାପୁଲିକୁ

ମୋ ଦୁଇ ପାପୁଲିରେ ରଖି |


ଯେଉଁଠି ଦେଖ ସେଇଠି

ସବୁଠି ଜନ ଗହଳି

ସଭିଙ୍କ ମନରେ କେତେ ଆଶା

ଥିଲା ଆଗକୁ ବଢିବାର ନିଶା

ମନେ ଭରପୂର ଉଦାମତା

ମନେ ଲକ୍ଷ୍ଯ ହାସଲର ଚିନ୍ତା

ଏ ସଚରାଚର ପୃଥିବୀରେ

ଥିଲା ଖାଲି ପାଇବାର ଇଚ୍ଛା

ଲକ୍ଷ୍ୟ ହାସଲର ଚିନ୍ତା

ଧରାକୁ ସରା ମଣି ନର

ହିଂସା ଦ୍ବେଷ ଅପରିଣାମଦର୍ଶିତାର

ବଶବର୍ତ୍ତୀ ମନେ ଭରା ଅସହିଷ୍ଣୁତା |


ତୁମେ ଇତିହାସ ଛାତ୍ରୀ 

ମୁଁ ପଦାର୍ଥ ଵିଜ୍ଞାନ ଛାତ୍ର

ତୁମେ ଆଣଥିଲ ଜୀବାଶ୍ମ ଫସିଲ

 ମୁଁ କରୁଥିଲି ତାର କାଳ ନିର୍ଦ୍ଧାରଣ

ଜାଇଗର ମୁଲାର୍ କାଉଣ୍ଟରରେ ରଖି

କାର୍ବନ ଡେଟିଂ ପ୍ରଣାଳୀର ଉପଯୋଗ କରି

ତୁମେ ଲେଖୁଥିଲ ଇତିହାସର ସନ୍ଦର୍ଭ

 ଆମେ ଦୁହେଁ ବୁଲି ବୁଲି ସ୍ୱଚ୍ଛନ୍ଦରେ

ପୁରୁଣା ମନ୍ଦିର ମସ୍ ଜିଦ୍ ଗୀର୍ଯ୍ୟାଠାରୁ

ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥଳ ଯାଏ

କରୁଥିଲେ ନମୁନା ସଂଗ୍ରହ

ଲେଖିବାକୁ ନିତି ନୂଆ ଇତିହାସ |


ପଲ୍ଲୀରୁ ଦୀଲ୍ଲୀ ପୁରରୁ ନଗର

ଆମେ ଦୁହେଁ ବୁଲୁଥିଲେ

ନୂତନ ଆଶାରେ ନିଶାରେ

ଚା ଟେବୁଲରୁ   ଲନ୍ ଯାଏ

ସବୁଠି ଆମେ ଏକାଠି

ବସି କେତେ କ'ଣ ଭାବୁଥିଲେ

ମନର ଭାବନାକୁ ବାଣ୍ଟୁଥିଲେ

ଆମ ଭିତରେ ଏକାନ୍ତରେ

ହଜିଯାଉଥିଲେ ସ୍ବପ୍ନରେ

ଆମ ମନ ପକ୍ଷୀଦ୍ବୟ

ଅଜାଣତେ କେତେବେଳେ ମୁହିଁ

ତୁମକୋଳେ ମଥାରଖି ରହୁଥିଲି ଚାହିଁ

ତୁମର ସେ ନିରୀହ ଆଖିଦ୍ୱୟକୁ

 ମୁଁ କାର୍ବନ୍ ଡେଟିଂ କରୁଥିଲି

ଆମ ପ୍ରେମର ଆମ ସମ୍ପର୍କର

ତୁମେ ମୋତେ ଚାହିଁ ରହୁଥିଲ

ମୋର ଅନ୍ୱେଷଣରତ ଆଖିରେ

ପଢୁଥିଲ ଆମ ସଂପର୍କର ଇତିହାସ

ମୋର ରୁକ୍ଷ ଓଠରେ

ତୁମର କଅଁଳ ଗୋଲାପୀ ଓଠକୁ

ଲଗାଇ ଲେଖୁଥିଲ ପ୍ରେମର ଇତିହାସ

ଯୋଡିଦେଉଥିଲ ନୂତନ ପୃଷ୍ଠା

ଦେଖାଇ ତୁମ ପ୍ରେମର ଅଦ୍ଭୁତ ପରାକାଷ୍ଠା |


କିନ୍ତୁ ହାୟ!

କେଉଁଆଡୁ ଆସିଲା କେଜାଣି

କେହି କିଛି ପାରିଲେନି ଜାଣି

ଉହାନ୍ ସହର ଗବେଷଣାରରୁ ଡିଆଁମାରି

କରୋନା ଭୂତାଣୁ ରଚି ମହାମାରୀ

ରଚିଗଲା ହାହାକାର

ବ୍ୟର୍ଥ କରି ବିଜ୍ଞାନର ଯେତେ ଆବିଷ୍କାର

କିଂ କର୍ତ୍ତବ୍ୟ ବିମୂଢ ନର

ଅନନ୍ୟୋପାୟେ ହୋଇଣପରାସ୍ତ

ଗୃହେ ହେଲା ଅନ୍ତରୀଣ

ଆତଙ୍କେ ଆକୁଳେ ହୋଇ ଭୀତତ୍ରସ୍ତ |


ବନ୍ଦ ହେଲା ପାଠଶାଳା ଦୋକାନ ବଜାର

 ଅସମ୍ଭବ ହୋଇଗଲା ତୁମ ସାନିଧ୍ୟର

ମନ ପକ୍ଷୀ ଏକାନ୍ତରେ ବାଛି ବନ୍ଦୀଘର

ଖୋଜିବୁଲେ ଉଡି ଉଡି ନୀଳ ଗଗନର

ତାରାମେଳେ ଖୋଜୁଥାଏ ସ୍ମୃତିକୁ ତୁମର

ତୁମେ ତାର ଇତିହାସ ଲେଖିବାଆଗରୁ

କହିଦେଲା ମହାମାରୀ ଟିକିଏ ଅପେକ୍ଷା କର

ସରିନାହିଁ ମୋ ପ୍ରକୋପ ଯାଇନି ମୁଁ ଦୂର

ଦେଖାଉଛି ନାନା ରୂପ ତୁମରି ଆଗର

ମୃତ୍ୟୁ ଦୂତ ହେବି ମୁହିଁ କଲେ ଅବହେଳା

ଧରା ହେବ ନର ଶୂନ୍ୟ ବୁଡଯିବ ଭେଳା

ଧୈର୍ଯ୍ୟ ଧରି ଗୃହ ବନ୍ଦୀ ହୋଇଣ ଏଥର

ଭଲ ଭାବେ ଭାବିଦେଖ ଆହେ ମୂଢ ନର

ଅତି କ୍ଷୁଦ୍ର ମୁହିଁ ଶୁଣ ବଚନ ମୋହର

ଅହଂ ତେଜି ଯତ୍ନ ନିଅ ଏହି ପ୍ରକୃତିର

ନାଶ କର ନାହିଁ ଏହି ରମ୍ୟ ପରିବେଶର

ସମ୍ମାନ କର ପୃଥିବୀର ସକଳ ପ୍ରାଣୀର

ଉଚ୍ଚ ନୀଚ୍ଚ କଳା ଗୋରା ସକଳ ଜାତିର

ବାଣ୍ଟ ସର୍ବେ ପ୍ରେମ ପ୍ରୀତି ଭଲପାଇବାର

ତୁମର ବୀଜୟ ହେବ ମୁଁ ମାନିବି ହାର

ଯେଉଁ ଦିନ ତେଜି ତୁମେ ଗର୍ବ ଅହଂକାର

ଯତ୍ନ ନେବ ତୁମ ରମ୍ୟ ପରିବେଶର

ବିଶ୍ବ ପ୍ରାଣ ବିଶ୍ବ ଭାତୃ ଭାବ ସହିତର

କରିବ କଲ୍ୟାଣ ଚିନ୍ତା ସକଳ ପ୍ରାଣୀର |


ମୋକାନରେ ପ୍ରତିକ୍ଷଣେ ହୁଏ ଗୁଞ୍ଜରିତ

କରୋନାର ବାଣୀ ଯେତେ ମାନବ ହିତର

ଦେଖୁଛି କରୋନାର ରୂପ କୁଛି ହିସାବ

କରୋନାର ପରାଭବ କେବେ ଶେଷ ହେବ

ତୁମ ସାଥେ ପୁଣିଥରେ ମୋର ଦେଖାହେବ

କାର୍ବନ ଡେଟିଂ କରିଥିବି କରୋନା ବ୍ୟାଧୀର

ଥୋଇ ଦେବି ତଥ୍ୟ ସବୁ ତୁମ ସମ୍ମୁଖର

ସରୁ ଚୂମାଟିଏ ଦେବି ଅଧରେ ତୁମର

ଲେଖିଦେବ ଇତିହାସ କ୍ରୁର କରୋନାର

 ବିରହରେ ତଡପୁଥିବା ମୁହୂର୍ତ୍ତ ଆମର

ବାଜିବ ପୁଣି ସାହାନାଇ ଆମରପ୍ରେମର

ଆସିବ ମଧୁ ମୁହୂର୍ତ୍ତ  ପ୍ରୀତି ପ୍ରଣୟର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract