ସନ୍ତାପ
ସନ୍ତାପ
ଜୀବନ ତ ଥିଲେ ସନ୍ତାପ ଆସଇ
ଝରିଯାଏ ଆଖି ଲୁହ
ସହିତ ହୁଏନି ଯନ୍ତ୍ରଣାର ଢେଉ
ଲିଭେନି ଛାତିର କୋହ ।
ଆଖିର ଆଗରେ ଦେଖି ଥିବା ସ୍ଵପ୍ନ
ନିମିଷେ ଊଭେଇ ଯାଏ
ଭାଗ୍ୟ ଆକାଶରେ କଳାର ବାଦଲ
ଛାଇ ହେଇ ଘୋଟି ଥାଏ ।
ପାଦର ଆଗରେ ଟଣା ଯାଇଥାଏ
ଲକ୍ଷ୍ମଣର ତିନି ରେଖା
ଏମିତି ଯନ୍ତ୍ରଣା ଜୀବନଟା ଇଏ
କପାଳରେ ଥାଏ ଲେଖା ।
ତାହାରି ଭିତରେ ବଞ୍ଚିବାକୁ ହୁଏ
ଆଖି ଲୁହ ପିଇ ପିଇ
ହେଲେ ସେଇ ଦୁଃଖ ନା ସହି ହୁଏ
ନା ହେଇଥାଏ କହି ।
ଇତିହାସ ଅବା ପୁରାଣ ପୃଷ୍ଠାକୁ
ଓଲଟାଇ ଯେବେ ଦେଖ
ପ୍ରତ୍ୟେକ ଜୀବନେ ରହି ଅଛି ପୁରି
ଅନେକ ସନ୍ତାପ ଦୁଃଖ ।
ରାଜା ଦଶରଥ କେତେ ଖୁସି ଥିଲେ
ରାମଚନ୍ଦ୍ର ରାଜା ହେବେ
ମାତା କୈକେୟୀ ବର ମାଗି ନେଲେ
ରାମ ବନବାସ ଯିବେ ।
ସହି ପାରିଲେନି ଅଯୋଧ୍ୟା ନୃପତି
ସନ୍ତାପ ଅନେକ କଲେ
ରାମଙ୍କୁ ନ ଦେଖି ପୁତ୍ରର ଶୋକରେ
ଦୁଃଖେ ଜୀବନ ତେଜିଲେ ।
ଅଶୋକ ବନରେ ଜନକ ନନ୍ଦିନୀ
ଅନେକ ସନ୍ତାପ କଲେ
ଅଗ୍ନିର ପରୀକ୍ଷା ଦେଇ ମହାସତୀ
ଅଯୋଧ୍ୟାକୁ ଫେରି ଥିଲେ ।
ପ୍ରଜା ସୁଖ ପାଇଁ ପ୍ରଭୁ ରାମଚନ୍ଦ୍ର
ସୀତାଙ୍କୁ ତେଜ୍ୟା କରିଲେ
ସୀତାଙ୍କ ବିଛେଦେ ସନ୍ତାପ କରିଣ
ଶେଷେ ମର୍ତ୍ତ୍ୟ ତ୍ୟାଗ କଲେ ।
ଅଶ୍ୱତ୍ଥମା ମୃତ ଶୁଣି ଦ୍ରୋଣାଚାର୍ଯ୍ୟ
ସନ୍ତାପେ ଅସ୍ତ୍ର ଛାଡିଲେ
ମହାଭାରତରେ ଧୃଷ୍ଟଦ୍ୟୁମ୍ନ ଖଣ୍ଡେ
ନିହତ ସିଏ ହୋଇଲେ ।
ଦ୍ରୌପଦୀଙ୍କ ବସ୍ତ୍ର ହରଣରେ ବେଳେ
ପାଣ୍ଡବେ ସନ୍ତାପ କଲେ
ଦୁଃଶାସନ ବାହୁ ଉପାଡିଣ ଭୀମ
ଦୌପଦୀ କେଶ ବାନ୍ଧିଲେ ।
ନିଜ ବଂଶ ମୃତ୍ୟୁ ଆଖିରେ ଦେଖିଣ
ଶଙ୍କୁନି ସନ୍ତାପ କଲା
କୂଟ ଚକ୍ରନ୍ତରେ କୌରବ ବିନାଶି
ପ୍ରତିଶୋଧ ତାର ନେଲା ।
ପ୍ରତିଶୋଧ ପରାୟଣ ଅଶ୍ୱତ୍ଥମା
ଶପଥ କରିଣ ଗଲା
ପାଣ୍ଡବ ଭାବିଣ ଦ୍ରୌପଦୀଙ୍କ ପାଞ୍ଚ
ପୁତ୍ରଙ୍କୁ ସେ ହାଣି ଦେଲା ।
ଦୁର୍ଯ୍ୟୋଧନଙ୍କୁ ସେ ନେଇ ସମର୍ପିଲା
ଦେଖି ସ୍ତବ୍ଧ ହେଇଗଲେ
ବଂଶ ବୁଡିଗଲା ସନ୍ତାପ କରିଣ
ଜୀବନ ସିଏ ତେଜିଲେ ।
ଦେଶ ଦେଶ ମଧ୍ୟେ ସଂଘର୍ଷ ଚାଲିଛି
ସନ୍ତାପ ଯେ ପ୍ରତିକ୍ଷଣ
ବୁଝନ୍ତିନି କେହି ଧ୍ୱଂସ ହେଲେ ପୃଥ୍ବୀ
ଭାଙ୍ଗି ଯିବ ନିଜ ଟାଣ ।
ସ୍ୱାମୀ ସ୍ତ୍ରୀ ମଧ୍ୟେ ଝଗଡା ଚାଲଇ
ସନ୍ତାପ ସିଏ କରନ୍ତି
ଭୁଲ୍ ଠିକ୍ ର ବୁଝାମଣା ହେଇ
ସୁଖରେ ପୂଣି ଚଳନ୍ତି ।
କର୍ତ୍ତବ୍ୟରେ କେବେ ଭୁଲ୍ ହେଇଗଲେ
ମନରେ ସନ୍ତାପ ଆସେ
ସେଇ କର୍ତ୍ତବ୍ୟକୁ ପୂରା କରିବାରେ
ମନ ଆଶା ବାନ୍ଧି ବସେ ।
ପରୀକ୍ଷାରେ ପିଲା ନମ୍ବର କମିଲେ
ସନ୍ତାପ ସେ କରି ଥାନ୍ତି
ମନ ଧ୍ୟାନ ଦେଇ ପାଠ ସେ ପଢିଣ
ସନ୍ତାପ ଦୂରେଇ ଦ୍ୟନ୍ତି ।
ପ୍ରେମିକ ପ୍ରେମିକା କରନ୍ତି ସନ୍ତାପ
ଯଦି କିଏ ଧୋକା ଦିଏ
କେବେ କେବେ ପରିବାର ପ୍ରତି ରୋଧେ
ସନ୍ତାପ କରନ୍ତି ସିଏ ।
ବନ୍ଧୁତ୍ୱରେ ମନ ମାଳିନ୍ୟ ଘଟିଲେ
ସନ୍ତାପ ଆସେ ମନରେ
ହୃଦୟରେ କୋହ ଜାଗ୍ରତ ହୁଅଇ
ଆଖି ଭିଜି ଥାଏ ଲୁହରେ ।
ଅଭାବ ଘରରେ ଅନେକ ସନ୍ତାପ
ଦୁଃଖ କଷ୍ଟ ଲାଗି ଥାଏ
ସେଇ ସନ୍ତାପରୁ ବଞ୍ଚିବାର ଧୈର୍ଯ୍ୟ
ସିଏ ଶିଖି ଯାଇଥାଏ ।
ଭକତଟି ନିଜ ମନର ସନ୍ତାପ
ପ୍ରଭୁଙ୍କୁ ତା କହି ଥାଏ
ପ୍ରଭୁଙ୍କ ଚରଣେ ଶରଣ ନେଇଣ
ସମୟ ବିତାଇ ଦିଏ ।
