ଯୁଦ୍ଧ : ଏକ ଅନାବଶ୍ୟକ ସଂଘର୍ଷ
ଯୁଦ୍ଧ : ଏକ ଅନାବଶ୍ୟକ ସଂଘର୍ଷ
ଜନତାର ବା କି ଅଛି ସମ୍ପର୍କ
ଯୁଦ୍ଧ ସାଥେ ବା ରାଜନୀତି ସାଥେ,
ଶାସକର କୂଟନୀତିରେ କି ହେବ ତା ଲାଭ
ଜୀବନ ଯା ବିତିଯାଏ ଦେଶପ୍ରେମର ଭାବୁକତା ପଥେ।
ଜୀବନ ଯୌବନ ଯା'ର ବନ୍ଧା ପଡ଼ିଥାଏ
ଖାଦ୍ୟ ବସ୍ତ୍ର ଓ ବାସଗୃହର ନିତି ସନ୍ଧାନରେ,
ରୋଗ ବ୍ୟାଧି ଓ ଦାରିଦ୍ର୍ୟର କଷଟିରେ ପେଶି ହୋଇ ନିତି
ସେ କେବେ ଜିଏଁ ଆଶ୍ବାସନାର ମିଛ ନିଶ୍ବାସରେ
ନିତି ପୁଣି ଛଳନାର ଇନ୍ଦ୍ରଜାଲେ ମରେ।
ଦେଶ କେବେ ଚାହେଁ ନାହିଁ ଯୁଦ୍ଧ
କି ମାଟି କେବେ ମାଗେ ନାହିଁ ସନ୍ତାନର ରକ୍ତ,
ଏଠି ମୁକୁଟ ଲଢନ୍ତି ସିନା
ନିଜ ଜିଦ୍ ର ମଥାରେ ନାଇବାକୁ ବିଜୟର ଟୀକା
ଶାସନ ନାମରେ ଚାଲେ ଅହଙ୍କାରର ମିଛ ରକ୍ତପାତ।
ଯୁଦ୍ଧ କେବେ ସମାଧାନର ବିକଳ୍ପ ସାଜେନା
ଶକ୍ତି ପ୍ରଦର୍ଶନର ଏ ଏକ ନିଚ୍ଛକ ନମୁନା,
ପ୍ରଗତି ଓ ପ୍ରଯୁକ୍ତିର ଜୟଯାତ୍ରା ପଥେ
ଯୁଦ୍ଧ ଏକ ସମୟର ପଛଘୁଞ୍ଚା ମାତ୍ର
ଅହଂର ପ୍ରତିଷ୍ଠା ପଥେ ନିଜ ପାଇଁ ବ୍ୟୁହ ସରଞ୍ଚନା।
ଏଇ ଏବେ ଏବେ ସରିଛି ତ ଯୁଦ୍ଧଟିଏ
ଯେଉଁଥିରେ ବିଶ୍ୱ ଲଢ଼ୁଥିଲା ଏକ ଭୁତାଣୁର ବିପକ୍ଷରେ,
ପୁରି ନାହିଁ କ୍ଷତ ଏବେ ବି ସେ ଭୟଙ୍କର ସେ ପରିଣତିର
ଏଇ କଣ ଶେଷଶିକ୍ଷା ବିପଦ ଟଳିଗଲା ପରେ
ପୁନଶ୍ଚ ଆମେ ମଜ୍ଜିଯିବା ସ୍ୱାର୍ଥ ପୁର୍ତ୍ତିର ଅମାନବୀୟ କାର୍ଯ୍ୟରେ !
ଏମିତି ହିଁ ଯୁଦ୍ଧ ମାନଙ୍କରୁ ସୃଷ୍ଟି ହୁଏ ସତ
ଦେଶଭକ୍ତିର ଅନେକ ରୋଚକ କାହାଣୀ,
କିନ୍ତୁ କି ଲାଭ ସେ ଦେଶପ୍ରେମର ସାଧାରଣ ଜନତାଟେ ପାଇଁ
ଯେଉଁଠି ମୃତ୍ୟୁ ପାଇଁ ସ୍ବାକ୍ଷରିତ ହୁଏ ରାଜିନାମା
ଯୁଦ୍ଧ ସରିଗଲା ପରେ ବାକି ଥାଏ ଏକ ପଶ୍ଚାତାପର କାହାଣୀ।
ଶାନ୍ତିର କପୋତ କାନ୍ଦେ ଖଣ୍ଡିତ ତା ରୁଗ୍ଣ ପକ୍ଷ ପାଇଁ
ଭୂମିଠାରୁ ଭୁମା ଯାଏଁ ଶୁଭେ ଯହିଁ ଶାନ୍ତିର ଆହ୍ୱାନ,
ହାତଗଣତି ଉତ୍ପାତ ମାନଙ୍କର ବିତ୍ପାତ ହିଁ ଯୁଦ୍ଧ
ଦୀର୍ଘଶ୍ବାସରେ ସଞ୍ଚରି ଯାଏ ବାରୁଦର ଗନ୍ଧ
ଲୁହର ସ୍ୟାହିରେ ଏଠି ଲେଖା ହୁଏ ବିଧ୍ଵଂସର କରୁଣ ପ୍ରମାଣ।
ଦେଶକୁ ଭୂଖଣ୍ଡ ଭାବି ସେଶବାସୀଙ୍କୁ ଅସ୍ତ୍ର
ପ୍ରଧାନ ରଚନ୍ତି ଯେବେ ଚକ୍ରାନ୍ତର ଆରକ୍ତ ସ୍ୱରୂପ,
ବିଶ୍ବାକାଶେ ଛାଇଯାଏ ଭୟାର୍ତ୍ତ ବାଦଲ
ଆନ୍ଦୋଳିତ ଅର୍ଥନୀତିର ସାମ୍ଭାବ୍ୟ ଆଶଙ୍କାରେ
ଓଷ୍ଠ ଧାରୁ ଲିଭିଯାଏ ଛନଛନ ହସର ଆଳାପ।
ଆସିବାର ଅଛି ଯଦି ଯୁଦ୍ଧ ଆସୁ ନିଜ ବିପକ୍ଷରେ
ଅମାନବିକତାର କ୍ରୁର ବ୍ୟସନ ବିରୁଦ୍ଧେ,
ଅସ୍ତ୍ର ନୁହେଁ, ବିବେକ ସାଜୁ ସେ ଯୁଦ୍ଧର ମୁଖ୍ୟ କ୍ଷେପଣାସ୍ତ୍ର
ବିଶ୍ୱ ଭାତୃତ୍ୱ ସେ ଯୁଦ୍ଧର ହେଉ ଶେଷ ପରିଣାମ
ଜୀବନ ଚମକି ଉଠୁ ଶାନ୍ତିର ଚରମ ସାନିଧ୍ୟେ।
