ସଂକ୍ଷିପ୍ତ ରାମାୟଣ କିଷ୍କିନ୍ଧ୍ୟା
ସଂକ୍ଷିପ୍ତ ରାମାୟଣ କିଷ୍କିନ୍ଧ୍ୟା


କିଷ୍କିନ୍ଧ୍ୟା ରାଜ୍ୟକୁ ଯିବାବେଳେ ପ୍ରଭୁ
ପମ୍ଫା ସରୋବର କୂଳେ ।
ଯାଇ ପହଞ୍ଚିଲେ ଶବରୀ କୁଟୀରେ
ଶବରୀର ଭକ୍ତି ଭୁଲେ ।।
କେତେକାଳୁ ତହିଁ ଭକ୍ତିଭାବ ବହି
ଟାକିଥିଲା କି ଶବରୀ ।
ଚୁମ୍ବକ ପରାୟେ ଶ୍ରୀରଘୁନାଥଙ୍କୁ
ଟାଣି ନେଇଥିଲା ଧରି ।।
ପ୍ରଭୁଙ୍କ ବାଟରେ ବିଞ୍ଚିଥିଲା ଫୁଲ
ରଖିଥିଲା ମିଠାଫଳ ।
ଚାଖିଚାଖି କରି କଷା ଖଟା ଫଳ
କରିଥିଲା ଆଢୁଆଳ ।।
ତା ଭକ୍ତି ରସରେ ରସିକ ଶେଖର
ଉଭା ହେଲେ ତତକ୍ଷଣ ।
ଦାନ୍ତ ଚିହ୍ନ ଥିବା ଫଳସବୁ ଦେଖି
ଇତସ୍ତତ ଯେ ଲକ୍ଷ୍ମଣ ।।
ଆତିଥ୍ୟ ଗ୍ରହଣ କରିଣ ସେଠାରୁ
ଆଶୀର୍ବାଦ ଦେଇ ତହିଁ ।
ସୁଗ୍ରୀବ ସନ୍ଧାନେ ଗଲେ ବେନିଭାଇ
ରୁଶ୍ୟମୂକ ଗିରୀ ଦେଇ ।।
ରାମ ଲକ୍ଷ୍ମଣଙ୍କୁ ଦୂରରୁ ଦେଖିଣ
ସୁଗ୍ରୀବଙ୍କୁ ଶଙ୍କା ଘାରେ ।
ଗୁପ୍ତଚର ନିଶ୍ଚେ ସେ ବାଳୀ ବୀରର
ଆସୁଛନ୍ତି ଆମ୍ଭ ପୁରେ ।।
ମନ୍ତ୍ରୀ ହନୁମାନେ ଡକାଇ ସୁଗ୍ରୀବ
କହିଲେ ଦେଖ ହେ ବୀର ।
ଦୁଇଟି ମାନବ ଆମ୍ଭ ଅଗ୍ରତକୁ
ହେଉଛନ୍ତି ଅଗ୍ରସର ।।
ତ୍ୱରିତେ ସେଠାରୁ ଗଲେ ହନୁମାନ
ରାମ ଲକ୍ଷ୍ମଣଙ୍କ ପାସ ।
ନିଜ ରୂପ ତେଜି ମାୟା ରୂପେ ହନୁ
ଧରିଣ ବ୍ରାହ୍ମଣ ବେଶ ।।
ପଚାରିଲେ ଯାଇ କିଏ ତୁମ୍ଭେ ବୀର
କି ଅର୍ଥେ ଆସ ଏ ପୁର ।
ବୁଝାଇ କୁହ ହେ ତୁମ୍ଭ ଅଭିପ୍ରାୟ
ସନ୍ଦେହ କର ଦୂର ।।
କୁହନ୍ତି ସେ ହସି ପ୍ରଭୁ ରଘୁବଂଶୀ
ଘରମଣି ସୀତା ସତୀ ।
ଲଙ୍କାର ରାବଣ ଚୋରେଇ ଆଣିଛି
ତାର କି ଦୁର୍ମଳ ମତି ।।
ପିତୃସତ୍ୟ ପାଳି ଚଉଦ ବରଷ
ଆସିଥିଲୁ ଆମ୍ଭେ ବନ ।
ସୀତାଙ୍କୁ ହରାଇ ଆମ୍ଭେ ଦୁଇଭାଇ
ବୁଲୁଅଛୁ ଘୋର ବନ ।।
କବନ୍ଧ ପାଖରୁ ସୁଗ୍ରୀବ ସମ୍ବନ୍ଧେ
ଶୁଣିଅଛୁ ଆମ୍ଭେ ଯାହା ।
ମଇତ୍ର ହୋଇଣ ସୀତା ଉଦ୍ଧାରଣ
ନିମନ୍ତେ ହୋଇବ ସାହା ।।
ଏସନ ବଚନ ଶୁଣି ହନୁମାନ
ଦ୍ୟନ୍ତି ନିଜ ପରିଚୟ ।
ପବନ ପୁତ୍ର ମୁଁ ନାମ ହନୁମାନ
ଅଟେ ମୁହିଁ ଅଞ୍ଜନେୟ ।।
ଆସନ୍ତୁ ହେ ପ୍ରଭୁ ଆମ୍ଭର ପୁରକୁ
କହି ପାଛୋଟି ଆଣିଲେ ।
ବାନର ସେନାଙ୍କ ସହିତେ ସୁଗ୍ରୀବ
ଯହିଁ ଉପସ୍ଥିତ ଥିଲେ ।।
ସୁଗ୍ରୀଙ୍କୁ ଡରାଇ ବାଳୀ ବୀର ଯହୁଁ
ଆବୋରି ଥିଲା ଆସନ ।
ଭାଇ ବୋହୁ ତାର ହରିଥିଲା ସେହୁ
ଧର୍ମେ କର୍ମେ ନାହିଁ ମନ ।।
ସୁଗ୍ରୀବ ସହିତେ ମିତ୍ରତା ହୋଇଲା
ରଘୁନାଥଙ୍କର ତହିଁ ।
କହୁଛି ମଇତ୍ର କରୁଅଛି ସତ୍ୟ
ବିପଦୁ ଉଦ
୍ଧାରିବଇଁ ।।
ବାଳୀକୁ ମାରିଣ କିଷ୍କିନ୍ଧ୍ୟା ରାଜ୍ୟରେ
ଅଭିଷେକ କରାଇବି ।
ପ୍ରତିବଦଳରେ ସୀତା ଉଦ୍ଧାରଣେ
ତୁମ୍ଭ ସାହାଯ୍ୟ ଲୋଡିବି ।।
ସହମତି ଦେଲେ ସୁଗ୍ରୀବର ଯହୁଁ
ରାମ ଅସ୍ବସ୍ତି ହୋଇଲେ ।
ଚାରିଦିଗେ ଦୂତ ପ୍ରେରଣ ନିମନ୍ତେ
ଗୁପ୍ତ ମନ୍ତ୍ରଣା କଲେ ।।
ରାମ ଆଜ୍ଞା ପାଇ ବାଳୀଦ୍ୱାରେ ଯାଇ
ହୁଙ୍କାର ଦେଲେ ସୁଗ୍ରୀବ ।
ଆରେ ବାଳୀବୀର ବାହାର ଏଥର
ତୋ ସାଥେ ଲଢେଇ ହେବ ।।
ଗୁମ୍ଫା ମଧ୍ୟେ ବାଳୀ ତାରା କୋଳେ ଢଳି
ବିଶ୍ରମି ଥିଲା ଟି ଯେଣୁ ।
ସୁଗ୍ରୀର କମ୍ପନ ଶୁଣି ବାଳୀବୀର
ଗୁମ୍ଫାରୁ ଆସିଲା ତେଣୁ ।।
ଘମାଘୋଟ ଯୁଦ୍ଧ ବାଳୀ ସୁଗ୍ରୀ ମଧ୍ୟେ
ଦୁହେଁ ଏକ ଦିଶୁଥାଇ ।
ଏହି ଦୃଶ୍ୟ ଦେଖି ନ ପାରନ୍ତି ମାରି
ଅଯୋଧ୍ୟାର ରଘୁସାଇଁ ।।
ପ୍ରବଳ ପ୍ରତାପୀ ବାଳୀର ହାତରୁ
ଅଜସ୍ର ମାଡ଼ ଖାଇଣ ।
ଲେଉଟି ଆସିଲେ ସୁଗ୍ରୀବର ବୀର
ପ୍ରଭୁଙ୍କୁ କହିଲେ ପୁଣ ।।
ଅତି ଦୁଃଖ ହୋଇ କହନ୍ତି ସୁଗ୍ରୀବ
ଏକି କଲ ହେ ମଇତ୍ର ।
ବାଳୀକି ମାରିବା ପାଇଁ କି ତୁମ୍ଭର
ଚଳୁନାହିଁ ଧନୁଶସ୍ତ୍ର ।।
ଶ୍ରୀରାମ କହନ୍ତି ଶୁଣ ହେ ମଇତ୍ର
ଦେଖିବାକୁ ତୁମ୍ଭେ ଏକା ।
ମାରୁ ମାରୁ ଯଦି ତୁମ୍ଭ ଦେହେ ବାଜେ
ମିତ୍ର ଦ୍ରୋହି ହେବି ସଖା ।।
ନିଜର ଗଳାରୁ ମାଳା ଏକ କାଢି
ସୁଗ୍ରୀବ ଗଳାରେ ଦେଲେ ।
ଏହିଥର ନିଶ୍ଚେ ଯିବ ବାଳୀବୀର
ଲୋଟାଇବି ମହିତଳେ ।।
ଯାଅ ହେ ମଇତ୍ର ନିର୍ଭୟେ ତୁରନ୍ତ
ବିଶ୍ୱାସ ମୋ ଠାରେ ରଖି ।
ବାଳୀବୀର ସଙ୍ଗେ କର ହେ ସମର
ମୁହିଁ ଶର ଦେବି ଯୋଖି ।।
ଶ୍ରୀରାମଙ୍କ ବାଣୀ ଶୁଣି ସୁଗ୍ରୀବର
ଯୁଦ୍ଧର ଡାକରା ଦେଲେ ।
ଡାକରା ଶୁଣିକି ବାଳୀ ବୀର ଆସି
ଉପସ୍ଥିତ ହୋଇଗଲେ ।।
ଆରମ୍ଭିଲେ ଯୁଦ୍ଧ ବାଳୀ ସୁଗ୍ରୀଙ୍କର
ତହିଁ ଘମାଘୋଟ ହୋଇ ।
ମାରିଦେଲେ ଶର ବାଜିଲା ଛାତିର
ବାଳୀ ପଡି ରଡେ ତହିଁ ।।
ସମର ଭୁଇଁରେ ପଡି ବାଳୀ ବୀର
ଚିତ୍କାର କରିକି ମଲା ।
ସୁଗ୍ରୀବର ସଙ୍ଗେ ତାରା ଦେବୀଙ୍କର
ସ୍ଵୟମ୍ବର ଆରମ୍ଭିଲା ।।
ସୁଗ୍ରୀବର ତହୁଁ କିଷ୍କିନ୍ଧ୍ୟା ରାଜ୍ୟର
ହୋଇଲେ ରାଜନ ଜାଣ ।
ସୀତାଙ୍କ ସନ୍ଧାନେ ସର୍ବ କପି ସୈନ୍ୟ
ଅଗ୍ରସର ହେଲେ ପୁଣ ।।
କିଷ୍କିନ୍ଧ୍ୟା କାଣ୍ଡର ଚରିତ ଏଠାରେ
ହୋଇଲାକ ସମାପନ ।
ଦୋଷାଦୋଷ ଥିଲେ କ୍ଷମା କରିବ ହେ
ସୀତାପତି ରଘୁରାଣ ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର