STORYMIRROR

Lata Behera

Abstract

4  

Lata Behera

Abstract

କବି

କବି

2 mins
354


ସରସ୍ବତୀଙ୍କର କୃପା ନ ହୋଇଲେ

    ହୋଇ ପାରନ୍ତିନି କବି

ଲେଖନୀ ତାଙ୍କର ଚାଲନ୍ତାନି କେବେ

    ନା ଲେଖି ପାରନ୍ତେ ଭାବି ।


ମା ବାଗ୍ଦେବୀଙ୍କ କୃପେ କାଳିଦାସ

    ପଣ୍ଡିତରେ ଗଣା ହେଲେ

ସାତ ଜନ୍ମର ସେ ମୁରୂଖ ହେଇଣ

    କାବ୍ୟ ବର୍ଷା ବୃଷ୍ଟି କଲେ ।


ଏମିତିକା ଶ୍ଳୋକ ରଚନା କରିଲେ 

    ସର୍ବେ ହେଲେ ଆଶ୍ଚମ୍ବିତ 

କୁମାର ସମ୍ଭବ ମେଘଦୂତ ସୃଷ୍ଟି 

    ଦେଖି ହେଲେ ସ୍ତମ୍ଭୀଭୂତ ।


ଅଭିଜ୍ଞାନ ଶଙ୍କୁନ୍ତଳା ନାଟକ ଯେ

    ଭାରତ ବର୍ଷରେ ଖ୍ୟାତି 

ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା

     ତାଙ୍କ ଯଶ ମାନ କୀର୍ତ୍ତି ।


ବିଶ୍ବ ବ୍ରହ୍ମାଣ୍ଡର ବାସ୍ତବ ଚିତ୍ରକୁ

    କବି ଆଣେ ହୃଦୟରେ

ଭାବନା ରାଇଜେ ବୁଡିଣ ରହି ସେ

     ଲେଖେ ବସି ଲେଖନୀରେ ।


କବି ପାଇଁ ସୃଷ୍ଟି ହୁଅଇ ପୁସ୍ତକ

    ସର୍ବେ ତାକୁ ପଢୁ ଥାନ୍ତି 

ପୁସ୍ତକରୁ ଜ୍ଞାନ ଆହରଣ କରି

     କର୍ମେ ନିଯୁକ୍ତି ପାଆନ୍ତି ।


ରାମାୟଣ ମହା ଭାରତକୁ ପଢ

    ପଢ ଅବା ଭାଗବତ

ସେଇ କବିଙ୍କର ଜୀବନ ବୃତ୍ତାନ୍ତ

    ଦୁଃଖରେ ପୂରା ଚର୍ଚ୍ଚିତ ।


ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇଲେ

     ଲେଖିଗଲେ ରାମାୟଣ 

ବ୍ୟାସ ଦେବ ମହାଭାରତ ଲେଖିଲେ

     ଭୁଲିଣ ସର୍ବ କଷଣ ।


ଜଗନ୍ନାଥ ଦାସ ଲେଖି ଭାଗବତ

    ମାତା ଆଶା ପୂର୍ଣ୍ଣ କଲେ

ଭାଗବତ ଘର ନିର୍ମିତ ହୋଇଲା

    ଘରେ ଘରେ ପାଠ କଲେ ।


ଯେଉଁ ବହି ଅବା ଯାହା ଲେଖା ପଢ

     ସୃଷ୍ଟି ତାର ଜଣେ କବି

ମନସ ପଟ୍ଟର ହୃଦୟ ଇଲାକେ

    ଆଙ୍କେ ବାସ୍ତବର ଛବି ।


ସେଇ ଛବିକୁ ସେ ଜୀବନ୍ତ କରିଣ

    ସଜାଏ ଲେଖନୀ ଧାରେ 

ତାହା ପାଠ କରି ଆନନ୍ଦ ବିଭୋର

    ହେଇଥାନ୍ତି ସର୍ବ ନରେ।


କେଉଁ କବି ଲେଖେ ହାସ୍ୟ ରସାତ୍ମକ

    କିଏ ଲେଖେ ଭକ୍ତି ଗୀତ

ବ୍ୟଙ୍ଗତ୍ମକ ଭାବ କିଏ ଲେଖୁ ଥାଏ

     ନାଟକେ କିଏ ଓସ୍ତାତ ।


କେଉଁ କବି ଲେଖେ ଗଳ୍ପ ଏକାଙ୍କିକା

    ନବଧା ରସରେ ଛନ୍ଦି

କିଏ ଲେଖେ ଇତିହାସ ଅଧ୍ୟାତ୍ମିକ 

   ପ୍ରେମ ଭାବ ଗୀତ ବନ୍ଦୀ ।


ଗଳ୍ପ ପ୍ରବନ୍ଧକୁ ସଜାଇ ଲେଖନ୍ତି 

    ଲେଖନ୍ତି କେତେ କାହାଣୀ 

ବିରହ କବିତା କିଏ ପୁଣି ଲେଖେ 

     ଲେଖନ୍ତି ଆତ୍ମଜୀବନୀ ।


କବିଙ୍କର ସ୍ଥାନ ସର୍ବଦା ଉଚ୍ଚରେ

    ତାଙ୍କୁ କୋଟି ନମସ୍କାର 

ଅଜ୍ଞାନ ତିମିର ବିନାଶ କରିଣ 

    ଦ୍ୟନ୍ତି ସେ ଆଲୋକଧାର ।


ବୀଣାପାଣୀଙ୍କ ସେ ଅମୃତ ସନ୍ତାନ 

    ତା ସୃଷ୍ଟି ଅମୂଲ ମୂଲ

ତାର ମୂଲ କେହି ଦେଇ ପାରନ୍ତି ନି

    ହୁଅନ୍ତି ନି ସମତୁଲ ।


କବିମାନଙ୍କର ଜୀବନ କାହାଣୀ 

    ଦୁଃଖରେ ଯେ ପୂର୍ଣ୍ଣ ଥାଏ

ଆଖି ଲୁହକୁ ସେ ସାଥି ଯେ କରିଣ

    ଜଗତ ହସାଉ ଥାଏ ।


 ଲୋକେ କେତେ ଥଟ୍ଟା ପରିହାସ କରି

    ଛୋଟ ନଜରେ ଦେଖନ୍ତି 

ହେଲେ କେତେ ଊର୍ଦ୍ଧ୍ବେ ତାଙ୍କର ଯେ ସ୍ଥାନ

     ନା ସେମାନେ ଜାଣନ୍ତି ।


କୋଟି କୋଟି କବି ସୃଷ୍ଟି ହେଇଛନ୍ତି 

    ଏଇ ବିଶ୍ୱ ବ୍ରହ୍ମାଣ୍ଡରେ 

ଜୀବନ୍ତେ ସମ୍ମାନ ନ ମିଳିଲେ ନାହିଁ 

    ମିଳିଥାଏ ମରଣରେ ।


କବିଙ୍କର ସ୍ଥାନ ସର୍ବଦା ଉଚ୍ଚରେ 

    ନେଇ ପାରନ୍ତି ନି କେହି

ମନ ହୃଦୟର ଇଲାକାରେ ସିଏ

    ଥାଆନ୍ତି ଅମର ହେଇ ।


ଦୁନିଆରୁ ସିନା ବିଦାୟ ନିଅନ୍ତି 

    ହୁଅନ୍ତି ଚିରସ୍ମରଣୀୟ 

ମଥା ନଇଁ ତାଙ୍କ ପାଦେ ମୋ ପ୍ରଣାମ 

    ସିଏ ଚିର ପୂଜନୀୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract