ଅଚରିତ୍ରର ସଂଳାପ
ଅଚରିତ୍ରର ସଂଳାପ
ଅତ୍ୟଧିକ ଆଶଙ୍କା ତାହାର
ଅହେତୁକ ଭୟ ସେହି ଦେହର ମନରେ
ଅକାରଣ ଚିନ୍ତାରେ ବୁଡ଼େ ସେ ଅଜବ ଆତ୍ମାଟି
କହେ ବହୁତ କହେ ବହୁବାର କହେ
କିନ୍ତୁ କେହି ଶୁଣିପାରନ୍ତିନି କେହି ଜାଣିପାରନ୍ତିନି
କେବେ କହେ ସେ ଅଳ୍ପଦିନର ଦୀର୍ଘ ଅତିଥି ଜଣେ
କେବେ ଗାଏ ଗୀତ କର୍କଶ ସ୍ୱରରେ ଜୀବନ ବୀପରୀତର
ଆଉ କେବେ ଗୁଣୁଗୁଣାଉଥାଏ ଋତୁର ସଙ୍ଗୀତ
ଚରିତ୍ର ନାହିଁ ତାର ଚରିତ୍ରହୀନ ନୁହେଁ ସେ
ସେ ଅଚରିତ୍ରର ଚରିତ୍ରଟିଏ
ମୁକ୍ତିଲାଭ ହେଇନଥିବା ଚଳଚ୍ଚିତ୍ରର
ନିର୍ଦ୍ଦିଷ୍ଟତାର ଅନିର୍ଦ୍ଦିଷ୍ଟତା ହିଁ ତାର ଚରିତ୍ରତା
ଲୁହକୁ ଦେଖେ କେବେ ଭିଜେ କେବେ ନିଷ୍ଠୁର ହସେ
ହସକୁ ଦେଖି କେବେ ଆନନ୍ଦେ କେବେ ବିଦ୍ରୁପ କରେ
କେବେ ନିଜକୁ ମାଟିକହେ କେବେ କହେ ପଙ୍କ
କହେ ନିଜକୁ କେବେ ରକ୍ତ କେବେ କହେ ମୁଁ ଅଶକ୍ତ
କେବେ କାନ୍ଦେ କିନ୍ତୁ ଲୁହ ଗଡ଼େନି ଶବ୍ଦ ଶୁଭେନି
କେବେ ସେ ହସେ କିନ୍ତୁ ଲୁହଭିଜା ନୟନ ଦିଶେ
ବିରାଟ ଅବନୀର ସ୍ୱପ୍ନ ତା ମନରେ
କିନ୍ତୁ ଦୁଇପାଦ ଚାଲେନି ଦୁଇ କିମି ଧାଏଁନି
ସାଗର ପରି ଗଭୀରତାରେ ବିଶ୍ବାସ କରେ
ହେଲେ କେବେ ସମୁଦ୍ର ଜଳେ ବୁଡ଼େନି ତା' ଅବୟବ
ଅତି ଦୁର୍ବଳତାର ପରିଚୟ ଦିଏ ଶକ୍ତିଶାଳୀ ଶବ୍ଦ କହେ
ଈଶ୍ବରଙ୍କୁ ଖୁବ୍ ମାନେ ମନ୍ଦିର ଦୁଆର ମାଡ଼େନି
ନାସ୍ତିକ ନୁହେଁ ସେ ଭକ୍ତ ବୋଲି କହିବାଠୁ ସେ ଦୂରେ
ନିଜକୁ ଏକାକୀ ପ୍ରଶ୍ନ ସେ ପଚାରେ
କୋଟିଏ ଉତର ନିଜକୁ ଦିଏ ପ୍ରଶ୍ନ ମାତ୍ର ହଜାରେ
ନିଜକୁ ବିକ୍ରି କରିପାରେ ସେ ଅନିୟନ୍ତ୍ରିତ ଭାବହୀନ ଶସ୍ତା ବଜାରେ
ଅସହାୟ ହୋଇ କାନ୍ଦେ ଭିନ୍ନ ଭିନ୍ନ ରୂପେ
କେବେ କୋପେ କେବେ ଶିଶୁ ପରି
କେବେ ପ୍ରାପ୍ତତାର ତିକ୍ତତା ରେ ଲୁହ ଗଡ଼ାଇ
ଈଶ୍ବର ସମ୍ମୁଖେ ଈଶ୍ବରଙ୍କୁ ଗାଳିଦିଏ
ଦୁଃଖ କହେ ସୁଖ କହେ ସଖା ହୁଏ ଦାସ ହୁଏ
ପୁଣି ଲୁହରେ ଲୁହରେ କରେ ବନ୍ଦନା
ସେ ନିଜର ବିନାଶ କରେ ମୁହୁର୍ତ୍ତେ
ପୁଣି ପରମୁହୂର୍ତ୍ତରେ ସାଜେ ବିରାଟ ସମ୍ଭାବନା
ଆଶା ସ୍ୱପ୍ନ କଳ୍ପନା ରେ ଜୀବନ ତାହାର
କିଛି କାଳିର ବ୍ଯବହାରେ ରଚିତ ଶବ୍ଦ
ଓ କେତେକ ଭାବର ସଂଳାପ କବିତା ଗୀତ ତା ଆହାର
ସେ ନିଜେ ନିଜର ଆଧାର
ନିଜଠୁ ଓଜନ ତାର ନିଜର ଭାର
ନିଜକୁ କରିପାରେ ସଂହାର
ନିଜ ଭିତରେ ସେ ଦେଖିପାରେ ବିକାର
ସ୍ୱପ୍ନକୁ କରିବାକୁ ସାକାର
ପ୍ରତିଦିନ ପ୍ରତିରାତିରେ ସମ୍ଭାବନାର ପ୍ରକାର
ସମୟର ସହେ ସେ କେତେ ଅଦେଖା ପ୍ରହାର
ଚରିତ୍ର ର ଅଚ୍ଚିତ୍ରଣ ତାର ରଙ୍ଗର ଅରଙ୍ଗ
ପାଗଳ ଭଳି ଏ କବିତା ଟେ ଲେଖିଛି ସେ
ପାଠକେ ବ୍ୟତିବ୍ୟସ୍ତ ହେଲେ ଦେବେ କ୍ଷମା
ବିଷାଦିତ କାହା ମନ କରିବାର ଅଭିଳାଷ ନୁହେଁ ଜମା।